fbpx

୨୦୦ ଫୁଟ ଗଭୀର ଖାଇକୁ ଖସିଲା କାର: ୩ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୪ ମୃତ, ୪ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣା କାରଣରୁ ଅକାଳରେ ଅନେକଙ୍କର ଜୀବନ ହାନୀ ହେବା ସହ ବହୁ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଉକ୍ତ ଦୁର୍ଘଟଣାରେ ୩ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୪ ଜଣ କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ଅମରାବତୀ-ଚିଖଲରା ରୋଡ଼ରେ ଏକ ଭୀଷଣ ଦୁର୍ଘଟଣା ଘଟିଥିଲା । ତେଲେଙ୍ଗାନାର ଆଦିଲାବାଦର ୮ ଜଣ ଯୁବକ ଏକ ଅର୍ଟିଗା ଗାଡ଼ିରେ ଅମରାବତୀର ଚିଖଲଦରା ଅଭିମୁଖେ ଯାତ୍ରା କରୁଥିଲେ । ତେବେ ରାସ୍ତାରେ ଏକାଧିକ ଟର୍ଣ୍ଣିଂ ରହିଥିବା ବେଳେ କୁହୁଡ଼ି ଭରି ରହିଥିଲା । ତେଣୁ ରାସ୍ତା ଠିକରେ ଦୃଶ୍ୟମାନ ନହେବା କାରଣରୁ ଗାଡ଼ିଟି ୨୦୦ ଫୁଟ ଏକ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା ।

ଗାଡ଼ିରେ ୭ ଜଣ ବ୍ୟାଙ୍କ କର୍ମଚାରୀ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଦୁର୍ଘଟଣାରେ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ପୋଲିସ ବହୁ କଷ୍ଟରେ ମୃତକଙ୍କୁ ଖାଇ ଭିତରୁ ବାହାର କରିବା ସହିତ ଆହତ ଲୋକଙ୍କୁ ଚିକିତ୍ସା ନିମନ୍ତେ ଅମରାବତୀ ସ୍ଥାନାନ୍ତର କରିଥିଲା । ଏଥିସହିତ ପୋଲିସ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା । ସମସ୍ତ ଯୁବକ ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି । ମୃତକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଗାଡ଼ିରେ ଯାତ୍ରା କରୁଥିବା ସମସ୍ତଙ୍କର ବୟସ ୩୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.