(Video) କାନାଡାରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ; ବିବୃତ୍ତି ଜାରି କଲେ ଜଷ୍ଟିନ ଟ୍ରୁଡୋ, ସାଂସଦ ଦେଲେ ୱାର୍ଣ୍ଣିଂ

ନୂଆଦିଲ୍ଲୀ: କାନାଡାର ବ୍ରେମ୍ପଟନରେ ଥିବା ହିନ୍ଦୁ ମନ୍ଦିର ଉପରେ ଖାଲିସ୍ତାନୀମାନଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି କାନାଡୀୟ ସାଂସଦ ଚନ୍ଦ୍ର ଆର୍ଯ୍ୟ। ସେ ଏହି ହିଂସାକୁ ନିନ୍ଦା କରି କହିଛନ୍ତି ଯେ, ଖାଲିସ୍ତାନୀ ଚରମପନ୍ଥୀମାନେ ରେଡ ଲାଇନ ଅତିକ୍ରମ କରିଛନ୍ତି। ଏହା କାନାଡାରେ ହିଂସକ ଉଗ୍ରବାଦର ଉଦୟକୁ ଜାଗ୍ରତ କରୁଛି।

ଏହି ଆକ୍ରମଣକୁ ନେଇ ଟ୍ରୁଡୋ କହିଛନ୍ତି ଯେ, ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣର ଘଟଣା ଅସ୍ୱୀକାର୍ଯ୍ୟ। କାନାଡାରେ ସବୁ ବ୍ୟକ୍ତିଙ୍କର ନିଜ ବିଶ୍ୱାସର ସ୍ୱାଧୀନତା ଏବଂ ସରକ୍ଷିତ ଭାବେ ପାଳନ କରିବାର ଅଧିକାର ରହିଛି। ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଲୋକଙ୍କର ସୁରକ୍ଷା ଏବଂ ଘଟଣାର ଯାଞ୍ଚ ପାଇଁ ତ୍ୱରିତ ପ୍ରତିକ୍ରିୟା ଦେବା ଲାଗି ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ଚନ୍ଦ୍ର ଆର୍ଯ୍ୟ ଏକ୍ସରେ ଏହି ଆକ୍ରମଣକୁ ଏକ ଭିଡିଓ ଜାରି କରି ଲେଖିଛନ୍ତି ଯେ, ଆଜି କାନାଡୀୟ ଖାଲିସ୍ତାନୀ ଚରମପନ୍ଥୀମାନେ ଏକ ରେଡ ଲାଇନ ଅତିକ୍ରମ କରିଛନ୍ତି। ବ୍ରେମ୍ପଟନରେ ହିନ୍ଦୁ ସଭା ମନ୍ଦିର ପରିସରରେ ହିନ୍ଦୁ ଏବଂ କାନାଡୀୟ ଭକ୍ତଙ୍କ ଉପରେ ଖାଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। କାନାଡାରେ ଖାଲିସ୍ତାନୀ ଉଗ୍ରବାଦ ଏତେ ହିଂସକ ଏବଂ ସମସ୍ତ ସୀମା ଅତିକ୍ରମ କରିବା ଦେଖିବାକୁ ମିଳିଛି।

ସେ ଆହୁରି କହିଛନ୍ତି ଯେ, ମୋତେ ଲାଗୁଛି ଯେ, ଏହି ରିପୋର୍ଟରେ ସତ୍ୟତା ରହିଛି ଯେ, କାନାଡାରେ ରାଜନୈତିକ ବ୍ୟବସ୍ଥା ବ୍ୟତୀତ ଖାଲିସ୍ଥାନୀମାନେ ଆମ ଆଇନ ପ୍ରଣୟନକାରୀ ସଂସ୍ଥାରେ ଅନୁପ୍ରବେଶ କରିଛନ୍ତି। କାନାଡୀୟ ସାଂସଦ ଆଗକୁ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ, ଖାଲିସ୍ତାନୀ ଚରମପନ୍ଥୀ କାନାଡାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଆଇନର ଲାଭ ଉଠାଉଛି ଏବଂ ସେମାନଙ୍କୁ ଏହା ସବୁ କରିବାର ଫ୍ରୀ ପାସ ମିଳିଛି।