ବର୍ଷ ବର୍ଷର ପରମ୍ପରା ଭାଙ୍ଗିଦେଲେ Captain ରୋହିତ! ପିଙ୍କ ବଲ୍ ଟେଷ୍ଟରେ ଦେଖିବାକୁ ମିଳିଲା ଅଜବ କାରନାମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । କାନଭେରାରେ ଟିମ ଇଣ୍ଡିଆ ପ୍ରାଇମ ମିନିଷ୍ଟର-୧୧ ବିପକ୍ଷରେ ଡେ-ନାଇଟ ଟେଷ୍ଟରେ ବିଜୟୀ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ବିଜୟ ସହ ନିଜ ଆତ୍ମବିଶ୍ୱାସ ମଧ୍ୟ ଦୃଢ କରିଛି । କିନ୍ତୁ ଏହି ମ୍ୟାଚ୍ ବିଜୟ ପରେ ଅଧିନାୟକ ରୋହିତ ବର୍ଷ ବର୍ଷର ଏକ ପୁରୁଣା ପରମ୍ପରା ଭାଙ୍ଗି ଦେଇଥିବା ଦେଖାଯାଇଛି । ଏହି ମ୍ୟାଚ୍ ବିଜୟ ପରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାନଭେରା ଟେଷ୍ଟରେ ଅଧିନାୟକ ରୋହିତ ଏକ ପରମ୍ପରା ଭାଙ୍ଗି ଦେଇଥିବା କୁହାଯାଉଛି । ୱାର୍ମ-ଅପ୍ ଟେଷ୍ଟ ବିଜୟ ପରେ ଅଦିନାୟକ ରୋହିତ ଶର୍ମା ଟ୍ରଫି ଗ୍ରହଣ କରିଥିଲେ । କିନ୍ତୁ ଏହି ଟ୍ରଫି ନେଇ ସେ ସିଧା ଋଷଭ ପନ୍ତଙ୍କ ହାତରେ ଧରାଇ ଦେଇଛନ୍ତି । ଏମିତି କରି ସେ ଦୀର୍ଘ ଦିନର ଏକ ପରମ୍ପରା ଭାଙ୍ଗି ଦେଇଥିବା ଏବେ ଚର୍ଚ୍ଚା ହେଉଛି । କାରଣ ଅନେକ ବର୍ଷରୁ ଭାରତୀୟ ଦଳରେ ସାମିଲ ହୋଇଥିବା ଯୁବ ତଥା ନୂଆ ଖେଳାଳିଙ୍କ ହାତକୁ ଟ୍ରଫି ଦିଆଯାଉଥିଲା । ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଏହି ପରମ୍ପରା ଆରମ୍ଭ ହୋଇଥିଲା । ପରେ ଏହାକୁ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଧିନାୟକ ଭାବରେ ଏହି ନିୟମ ଜାରି ରଖିଥିଲେ । କିନ୍ତୁ ରୋହିତ ଏହି ଟ୍ରଫି ହର୍ଷିତ ରାଣା କିମ୍ବା ନୀତିଶ ରେଡ୍ଡୀଙ୍କ ହାତକୁ ଦେବା ପରିବର୍ତ୍ତେ ଋଷଭ ପନ୍ତଙ୍କୁ ଧରାଇ ଦେଇଛନ୍ତି ।

ତେବେ ଏହା ଏକ ୱାର୍ମ-ଅପ୍ ମ୍ୟାଚ୍ ହୋଇଥିବା ବେଳେ ଟିମ ଇଣ୍ଡିଆ ପିଙ୍କ ବଲ୍ ଟେଷ୍ଟ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା । ତେଣୁ ଏହି ଟ୍ରଫି ସେ ହର୍ଷିତ ଏବଂ ନୀତିଶଙ୍କ ବଦଳରେ ଋଷଭ ପନ୍ତଙ୍କ ହାତରେ ଧରାଇଛନ୍ତି । କିନତୁ ଅଷ୍ଟେଲିଆ ବିପକ୍ଷ ସିରିଜ ଜିତିଲେ ରୋହିତ ଏହି ପରମ୍ପରା ପାଳନ କରିବେ ବୋଲି ଆଶା କରାଯାଉଛି । ୱାର୍ମ-ଅପ୍ ମ୍ୟାଚରେ ପ୍ରାଇମ ମିନିଷ୍ଟର-୧୧ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୪୧ ରନର ଲକ୍ଷ୍ୟ ଦେଇଥିଲା । ଏହି ମ୍ୟାଚରେ ଯୁବ ବୋଲର ହର୍ଷିତ ରାଣା ୪ଟି ସଫଳତା ହାସଲ କରିଥିଲେ । ତେବେ ଆକାଶଦୀପ ୨ଟି ୱିକେଟ ନିଜ ନାମରେ କରିଥିବା ବେଳେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ୱାଶିଂଟନ୍ ସୁନ୍ଦର ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଏହାପରେ ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୪୬ ଓଭରରେ ୨୫୭ ରନ୍ କରି ମ୍ୟାଚରେ ବିଜୟ ହାସଲ କରିଛି ।