fbpx

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀଙ୍କୁ କାର ଘୋଷାରି ନେଲା: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗତମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦିଲ୍ଲୀରେ ଜଣେ ଯୁବତୀ ଅଞ୍ଜଳି ସିଂହଙ୍କୁ ଏକ କାର ପାଖାପାଖି ୧୩ କିମି ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ତେବେ ଏହା ମଧ୍ୟରେ ସେଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । ଏହି କ୍ରମରେ ଆଜି ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି ଦିଲ୍ଲୀ ମହିଳା କମିସନ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ଏକ କାର ସ୍ୱାତୀଙ୍କୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ ଦିଲ୍ଲୀ ଏମ୍ସ ନିକଟରେ ସ୍ୱାତୀଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା । ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବଲେନୋ କାର ଚାଳକ ସ୍ୱାତୀଙ୍କୁ ଗାଡ଼ିରେ ବସିବାକୁ କହିଥିଲେ । ଏପରିକି ଗାଡ଼ି ଚାଳକ ସ୍ୱାତୀଙ୍କ ସହ ଛେଡ଼ଛାଡ଼ କରିଥିଲେ । ମାତ୍ର ସ୍ୱାତୀ ଏନେଇ ବିରୋଧ କରିବାରୁ ଗାଡ଼ି ଚାଳକ ଅଧ୍ୟକ୍ଷାଙ୍କ ହାତକୁ କାର କାଚ ଭିତରେ ବନ୍ଦ କରି ଗାଡ଼ି ଷ୍ଟାର୍ଟ କରିଦେଇଥିଲେ । ଫଳରେ ସ୍ୱାତୀଙ୍କ ହାତ କାର ଭିତରେ ଫସି ରହିଥିବାରୁ ସେ ୧୦-୧୫ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ । ତେବେ ଈଶ୍ୱରଙ୍କ କୃପାରୁ ତାଙ୍କର ଜୀବନ ବଞ୍ଚିପାରିଥିବା ସ୍ୱାତୀ କହିଛନ୍ତି ।

ବିଳମ୍ବିତ ରାତିରେ ମହିଳା କମିସନ ଅଧ୍ୟକ୍ଷା ଦିଲ୍ଲୀର ସୁରକ୍ଷା ପରିସ୍ଥିତି ବିଷୟରେ ଅନୁଧ୍ୟାନ କରୁଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ତାଙ୍କ ସହ ଏପରି ଘଟିଥିଲା । ତେବେ ଦିଲ୍ଲୀରେ ଯେଉଁଠି ମହିଳା କମିସନ ଅଧ୍ୟକ୍ଷା ସୁରକ୍ଷିତ ନୁହନ୍ତି ସେଠାରେ ପରିସ୍ଥିତି କିପରି ରହିଥିବ ସେନେଇ ସମସ୍ତେ ଭାବିବା ଦରକାର ବୋଲି ସ୍ୱାତୀ ଟ୍ୱିଟ୍ କରିଛନ୍ତି । ବିଳମ୍ବିତ ରାତି ପାଖାପାଖି ୩.୦୫ ସମୟରେ ଏମ୍ସର ଗେଟ୍ ନମ୍ବର-୨ ନିକଟସ୍ଥ ଫୁଟପାଥ ନିକଟରେ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.