ପୁଣି ଗୁଗୁଲ ମ୍ୟାପ ଦେଖାଇଲା ଭୁଲ ରାସ୍ତା, ସର୍ଟକଟ୍ ପାଇଁ କେନାଲରେ ଗଳିପଡିଲା କାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ପୁଣିଥରେ ଗୁଗଲ ମ୍ୟାପ ଭୁଲ ରାସ୍ତା ଦେଖାଇଛି। କୁହୁଡି କାରଣରୁ ଗୁଗଲ ମ୍ୟାପ ଲଗାଇ ପିଲିଭୀତ ଆଡକୁ ଯାଉଥିବା ଯୁବକଙ୍କ କାର ସର୍ଟକଟ ଚକ୍କରରେ କେନାଲରେ ଯାଇ ପଡିଛି। ଆଶ୍ୱସ୍ତିକର କଥା ହେଉଛି, ଏହି କାରରେ ଯାତ୍ରା କରୁଥିବା ଲୋକଙ୍କର କାହାରି କିଛି କ୍ଷତି ଘଟିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି, କାରକୁ କ୍ରେନ ଲଗାଇ ବାହାରକୁ ବାହାର କରିଦେଇଛି। ଏହା ପୂର୍ବରୁ ୨୪ ନଭେମ୍ବରରେ ଅର୍ଦ୍ଧ ନିର୍ମର୍ାଣ ବ୍ରିଜରୁ କାର ଖସି ତିନି ଯୁବକଙ୍କର ମୃତ୍ୟୁ ଘଟିଥିଲା।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ସୋମବାର ରାତି ପ୍ରାୟ ତିନିଟାରେ କାନପୁରରୁ ଔରେୟା ନିବାସୀ ଦିବ୍ୟାଂଶୁ ପୁତ୍ର ମହେନ୍ଦ୍ର ପ୍ରତାପ ସିଂହ ନିଜର ଦୁଇ ସାଙ୍ଗଙ୍କ ସହ କାରରେ ପିଲୀଭିତ ଯାଉଥିଲେ। କୁହୁଡି ପାଇଁ ସେମାନେ ଗୁଗଲ ମ୍ୟାପ ସହାୟତାରେ ଚାଲୁଥିଲେ। ଇଜ୍ଜତନଗରରେ କଲାପୁର ପାଖରେ ଗୁଗଲ ସର୍ଟକଟ ଦେଖାଇବା ପରେ ଏହି ଲୋକେ କେନାଲ ରାସ୍ତାରେ କାରକୁ ନେଇଥିଲେ। ଏହି ରାସ୍ତାରେ କାରଟି କେନାଲ ଭିତରକୁ ଖସିପଡିଥିଲା। ହେଲେ ଭାଗ୍ୟ ଭଲ ଯୋଗୁଁ ଏହି କେନାଲରେ ପାଣି ନଥିଲା ଏବଂ କାର ସ୍ପିଡ ଅଧିକ ନଥିଲା। ସେହି ଲୋକେ କାର ବାହାର କରିବାକୁ ଚେଷ୍ଟା କରିଥିଲେ, ହେଲେ ବାହାର କରିପାରିନଥିଲେ। ଏହାପରେ ୧୧୨କୁ ଫୋନ ଲଗାଇବା ପରେ ପୋଲିସ କ୍ରେନକୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।