ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନାମରେ ମାମଲା, ଏହି ଘଟଣାକୁ ନେଇ ସଙ୍ଗୀନ ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଷଡଯନ୍ତ୍ର କରି ନିଜ କର୍ମୀ ମାନଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ନେଇ ଆଳି ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି ।
ପୂର୍ବରୁ ସାମ୍ବାଦିକ ଲିଟୁଆ ରାଉତଙ୍କୁ ମିଥ୍ୟା ମାମଲାରେ ଫସାଇ ଜୀବନରୁ ମାରଦେବା ପାଇଁ ଧମକ ଦେଇଥିଲେ । ଗତ ୫ ତାରିଖ ଅପରାହ୍ନ ରେ ନିଜ କର୍ମୀ ଙ୍କୁ ଲଗାଇ ମଧ୍ୟ ଆକ୍ରମଣ କରିଛନ୍ତି ।

ସୂଚନା ମୁତାବକ, ସାମ୍ବାଦିକ ଆକ୍ରମଣ ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମ୍ପୃକ୍ତି ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ସାମ୍ବାଦିକ ଲିଟୁଆ ରାଉତ ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଏକ ସରକାରୀ କାର୍ଯ୍ୟକ୍ରମର ଖବର ସଂଗ୍ରହ କରି ନିଜ ଗ୍ରାମ ଗୋବିନ୍ଦପୁରକୁ ଫେରୁଥିଲେ ।

ଭୁଇଁପୁର ରାସ୍ତାରେ ଥିବା ମଦ ଦୋକାନର ଅନତି ଦୂରରେ ହଠାତ୍ ମୂଳସାହି ଗ୍ରାମର ବିନୁ ଓରଫ ବିନେଶ ସାମଲ, ସୀତେଶ ସେନାପତି ଓ ଶିବମ ସେନାପତି ପ୍ରମୁଖ ଠେଙ୍ଗା, ବାଡି ଓ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ । ସାମ୍ବାଦିକ ଜଣକ ନିଜ ବାଇକରୁ ତଳେ ପଡ଼ି ଚିତ୍କାର କରିଥିଲେ ।

ଅଭିଯୁକ୍ତମାନେ ତାଙ୍କ ବେକରୁ ସୁନା ଚେନ୍ ନେଇଯିବା ସହ ମୋବାଇଲ ଛଡାଇ ନେଇ ଭାଙ୍ଗି ଦେଇଥିଲେ । ବାଇକକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେ ଜୀବନ ବଞ୍ଚାଇବାକୁ ବିଲ ଭିତରୁ ଦଉଡ଼ି ପଳାଇ ଯାଇଥିଲେ ଓ କିଛି ବନ୍ଧୁଙ୍କ ସହାୟତାରେ ପ୍ରଥମେ ଗୋବିନ୍ଦପୁର ଡାକ୍ତରଖାନରେ ଚିକିତ୍ସିତ ହୋଇଥିଲେ । ଏ ବାବଦରେ ଆଳି ଥାନାରେ ଅଭିଯୋଗ ହେବା ଆଜକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଆଳି ପୋଲିସ୍ କେବଳ ଏକ ମାମଲା ରୁଜୁ କରି ହାତ ବାନ୍ଧି ବସି ରହିଛି । ଏନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଯଦି ଆସାମୀ ମାନଙ୍କୁ ତୁରନ୍ତ ଗିରଫ ନ କରାଯାଏ , ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବାକୁ ଷ୍ଟେଟ ୟୁନିଅନ ଅଫ ଜର୍ଣାଲିଷ୍ଟ ( ସିୟୁଜେ ) ସମ୍ବାଦିକ ସଂଘ ଚେତାବନୀ ଦେଇଛି । ସାମ୍ବାଦିକ ଶ୍ରୀ ରାଉତ ଅଭିଯୋଗ ଆଣିଛନ୍ତି କି ଆଳି ଥାନାରେ ବିଜେପି ପ୍ରାର୍ଥୀ କୃଷ୍ଣ ପଣ୍ଡା ପୂର୍ବରୁ ତାଙ୍କ ନାମରେ ଏକ ମିଥ୍ୟା ମାମଲା କରି ଭୟଭୀତ କରାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଅନ୍ୟପଟେ ଏହି ଘଟଣାରେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ କୌଣସି ପ୍ରତିକ୍ରିୟା ମିଳପାରି ନଥିବା ବେଳେ ଆଳି ପୋଲିସ କେସ୍ ନମ୍ୱର-୭୪ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନେଇ ଜଣା ପଡ଼ିଛି ।