fbpx

ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚର ଓ ସ୍ୱାମୀ ଦୀପକ ଗିରଫ, ସିବିଆଇର ବଡ଼ ପଦକ୍ଷେପ

Advertisement

ନୂଆଦିଲ୍ଲୀ:ଭିଡିଓକନ ଋଣ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଜି ସନ୍ଧ୍ୟାରେ ସିବିଆଇ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିଛି । ଯେଉଁ ସମୟରେ ଚନ୍ଦା ଏହି ବ୍ୟାଙ୍କର ଭାର ସମ୍ଭାଳୁଥିଲେ ସେହି ସମୟରେ ଭିଡିଓକନ ଗ୍ରୁପକୁ ସେ ଲୋନ ଦେଇଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତି ବଦଳରେ ଦୀପକଙ୍କ କମ୍ପାନୀ ନ୍ୟୁ ରିନ୍ୟୁଏବଲ ଭିଡିଓକନରେ ନିବେଶ କରିବାର ସୁଯୋଗ ପାଇଥିଲା ।

ସୂଚନା ମୁତାବକ, ଗତ ୨୦୧୨ରେ ଭିଡିଓକନ ଗ୍ରୁପକୁ ଆଇସିଆଇସଆଇ ବ୍ୟାଙ୍କ ଦ୍ୱାରା ଲୋନ୍ ପ୍ରଦାନ କରାଯାଇଥିଲା । ପରେ ତାହା ଏନପିଏ ହୋଇଯାଇଥିଲା ଓ ପରେ ଉକ୍ତ ଗ୍ରୁପକୁ ‘ବ୍ୟାଙ୍କ ଫ୍ରଡ’ ଘୋଷଣା କରାଯାଇଥିଲା । ଗତ ୨୦୨୦ ସେପ୍ଟେମ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀପକଙ୍କୁ ଗିରଫ କରିଥିଲା । ୨୦୧୨ରେ ଚନ୍ଦାଙ୍କ ନେତୃତ୍ୱାଧିନ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ଗ୍ରୁପକୁ ୩,୨୫୦ କୋଟିର ଋଣ ଦେଇଥିଲା । ଏଥିସହିତ ଛଅ ମାସ ପରେ ବେଣୁଗୋପାଳ ଧୂତଙ୍କ ମାଲିକାନାରେ ଥିବା ମେସର୍ସ ସୁପ୍ରିମ ଏନର୍ଜି ପକ୍ଷରୁ ମେସର୍ସ ନ୍ୟୁପାୱର ରିନ୍ୟୁଏବଲକୁ ୬୪ କୋଟିର ଲୋନ୍ ଦିଆଯାଇଥିଲା, ଯେଉଁଥିରେ କି ଦୀପକଙ୍କ ୫୦ ପ୍ରତିଶତ ଅଂଶଧନ ରହିଥିଲା ।

ସୂଚନାଯୋଗ୍ୟ ଯେ, ଭିଡିଓକନ ଅଧ୍ୟକ୍ଷ ବେଣୁଗୋପାଲ ଧୂତ ଓ ଆଇସିଆଇସିଆଇ ସିଇଓ ଏବଂ ଏମଡି ଚନ୍ଦା ପରସ୍ପର ପ୍ରତି ଲାଭ ପହଞ୍ଚାଉଥିବାର ଅଭିଯୋଗ ଆଣି ଏହି ଦୁଇ ସଂସ୍ଥାର ଶେୟାର ହୋଲ୍ଡର ଅରବିନ୍ଦ ଗୁପ୍ତା ପ୍ରଧାନମନ୍ତ୍ରୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ସେକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)କୁ ଚିଠି ଲେଖିଥିଲେ । ଏହି ବଡ଼ ଖୁଲାସା ହେବା ପରେ ଗତ ୨୦୧୮ରେ ଚନ୍ଦା ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ । ୨୦୧୯ରେ ଏହି ମାମଲାର ଯାଞ୍ଚ କରୁଥିବା ଜଷ୍ଟିସ ବି.ଏନ ଶ୍ରୀକୃଷ୍ଣ ସମିତିଙ୍କ ରିପୋର୍ଟ ଆସିଥିଲା ।

Get real time updates directly on you device, subscribe now.