fbpx

ଦେଶର ୯ଟି ରାଜ୍ୟରେ ବିନା ଅନୁମତିରେ ପ୍ରବେଶ କରିପାରିବନି CBI: ଏଥିପାଇଁ ରାଜ୍ୟ ସରକାରଙ୍କ ‘General Consent’ ଆବଶ୍ୟକ

ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ମାମଲାରେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସିବିଆଇ, ଇଡି ପରି ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ତରଫରୁ ବିଭିନ୍ନ ରାଜ୍ୟରେ ଯାଞ୍ଚ କରାଯାଇଥାଏ । ଏଭଳି ସ୍ଥିତିରେ ରାଜ୍ୟ ଓ କେନ୍ଦ୍ରରେ ଅଲଗା ଅଲଗା ପାର୍ଟିର ସରକାର ରହିଥିଲେ ବିବାଦ ସୃଷ୍ଟି ହୋଇଥାଏ । କେନ୍ଦ୍ର ସରକାର ଜାଣିଶୁଣି କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରୁଥିବା ନେଇ ସମ୍ପୃକ୍ତ ରାଜ୍ୟ ସରକାର ଅଭିଯୋଗ କରିଥାନ୍ତି ।

ସାଧାରଣ ଭାବେ କୌଣସି ରାଜ୍ୟରେ ସିବିଆଇ ପ୍ରବେଶ ପୂର୍ବରୁ ସମ୍ପୃକ୍ତ ରାଜ୍ୟ ସରକାର ‘ଜେନେରାଲ କନସେଣ୍ଟ’ ବା ‘ସାଧାରଣ ସହମତି’ ପ୍ରଦାନ କରିଥାନ୍ତି । ଯଦି କୌଣସି ରାଜ୍ୟ ସରକାର ‘ସାଧାରଣ ସହମତି’ ପ୍ରତ୍ୟାହାର କରି ନିଅନ୍ତି ତେବେ ଉକ୍ତ ରାଜ୍ୟରେ ସିବିଆଇ ପ୍ରବେଶ ପୂର୍ବରୁ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ନଚେତ୍ ଉକ୍ତ ରାଜ୍ୟରେ ସିବିଆଇ ତଦନ୍ତ କରିପାରିବ ନାହିଁ । ଏହାକୁ ନେଇ ଅନେକ ସମୟରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଥାନ୍ତି ।

ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଡିଏସପିଇ) ଆକ୍ଟ, ୧୯୪୬ ଅନୁସାରେ ସିବିଆଇକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିଥାଏ । ଆଇନର ଧାରା ୬ ଅନୁସାରେ ସିବିଆଇକୁ କୌଣସି ମାମଲାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବା ଜରୁରୀ । ‘ସାଧାରଣ ମହମତି’ ମିଳିବା ଫଳରେ ସିବିଆଇ ଯେ କୌଣସି ରାଜ୍ୟରେ ଯେ କୌଣସି ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିପାରିବ । ଏପରିକି ଅତି ଛୋଟ ମାମଲାର ଯାଞ୍ଚ ପାଇଁ ମଧ୍ୟ ସିବିଆଇକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିଥାଏ । ଯଦି କୌଣସି ରାଜ୍ୟ ସରକାର ‘ସାଧାରଣ ସହମତି’ ପ୍ରତ୍ୟାହାର କରି ନିଅନ୍ତି, ତେବେ ସିବିଆଇ ଉକ୍ତ ରାଜ୍ୟର କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ମଧ୍ୟ ଦାୟର କରିପାରିବ ନାହିଁ ।

ତେବେ ବର୍ତ୍ତମାନ ସମୟରେ ଦେଶର ୯ଟି ରାଜ୍ୟ ସରକାର ଏହି ‘ସାଧାରଣ ସହମତି’ ପ୍ରତ୍ୟାହାର କରିନେଇଥିବା ବେଳେ ସେହି ସମସ୍ତ ରାଜ୍ୟଗୁଡ଼ିକରେ ପ୍ରବେଶ ପୂର୍ବରୁ ସିବିଆଇକୁ ଅନୁମତି ନେବାକୁ ପଡ଼ିବ । ପଞ୍ଜାବ, ଝାଡ଼ଖଣ୍ଡ, କେରଳ, ରାଜସ୍ଥାନ, ଛତିଶଗଡ଼, ପଶ୍ଚିମବଙ୍ଗ, ମିଜୋରାମ, ତେଲେଙ୍ଗାନା, ମେଘାଳୟ ଓ ତାମିଲନାଡ଼ୁ ପରି ୧୦ଟି ରାଜ୍ୟ ଏହାକୁ ପ୍ରତ୍ୟାହାର କରିନେଇଥିବା ନେଇ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତ ମାସ ୨୦ ତାରିଖରେ ଲୋକସଭାରେ ଲିଖିତ ଉତ୍ତର ଦେଇଥିଲେ ।

ତେବେ ନିକଟରେ ରାଜସ୍ଥାନରେ ବିଜେପି ସରକାର ଗଠନ ହେବା ପରେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ‘ସାଧାରଣ ସହମତି’ର ଆବଶ୍ୟକତାକୁ ଉଠାଇ ଦେଇଛନ୍ତି । ଫଳରେ ରାଜସ୍ଥାନରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଆଉ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ନାହିଁ । ଏହାଫଳରେ ଏବେ ଦେଶର ୯ଟି ରାଜ୍ୟରେ ପ୍ରବେଶ ପାଇଁ ସିବିଆଇକୁ ଉକ୍ତ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।

Get real time updates directly on you device, subscribe now.