fbpx

ରାମ ମନ୍ଦିର ଧ୍ୱଜାରେ ଏହି ଗଛ କାହିଁକି? ଜାଣନ୍ତୁ କ’ଣ ରହିଛି ଏହାର ଧାର୍ମିକ ମହତ୍ତ୍ୱ, କିପରି ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଭବ୍ୟ ମନ୍ଦିରକୁ ନେଇ ଏବେ ସାରା ଦେଶ ରାମମୟ ହୋଇଯାଇଛି । ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଦେଶରେ ପ୍ରତିଟି ସ୍ଥାନ । ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଜାରି ରହିଥିବା ବେଳେ ମନ୍ଦିରର ଧ୍ୱଜାରେ ପରିବର୍ତ୍ତନ କରାଯାଇଛି । ଏହି ଧ୍ୱଜାରେ ଦୁଇଟି ନୂଆ ଚିତ୍ରକୁ ସ୍ଥାନ ଦିଆଯାଇଛି । ରାମ ମନ୍ଦିରର ଏହି ଧ୍ୱଜାରେ ସୂର୍ଯ୍ୟ ଏବଂ କାଞ୍ଚନ ଗଛର ଚିହ୍ନ ଅଙ୍କନ ହୋଇଛି । ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ୧୦୦ ଧ୍ୱଜା ମଧ୍ୟ ପ୍ରଦେଶକୁ ପଠାଯାଉଛି । ଏହାକୁ ହରଦୁଆ ଗ୍ରାମର ଲଳିତ ମିଶ୍ର ପ୍ରସ୍ତୁତ କରିଛନ୍ତି ।

କିଛି ଦିନ ପୂର୍ବରୁ ଶ୍ରରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କୁ ରାମ ମନ୍ଦିରର ଧ୍ୱଜା ଉପହାର ଦେଇଥିଲେ ଲଳିତ ମିଶ୍ର । ଏହାକୁ ଦେଖିବା ପରେ ୫ ଜଣିଆ ସଦସ୍ୟ କମିଟି ଧ୍ୱଜାରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଧ୍ୱଜାର ନୂଆ ଡିଜାଇନ୍ କମିଟିକୁ ପ୍ରଦାନ କରାଯିବ । ଏହାପରେ ଧ୍ୱଜାର ଲମ୍ବ ଏବଂ ଚଉଡ଼ା ଉପରେ ନିଷ୍ପତ୍ତି ନେବ କମିଟି । ଲଳିତ ମିଶ୍ର କହିଛନ୍ତି ଯେ, ସୂର୍ଯ୍ୟବଂଶର ପ୍ରତୀକ ସୂର୍ଯ୍ୟ ହୋଇଥିବାରୁ ଏହାକୁ ଧ୍ୱଜାରେ ସ୍ଥାନ ଦିଆଯାଇଛି । ଏହାବ୍ୟତୀତ କାଞ୍ଚନ ଗଛ ଅଯୋଧ୍ୟାର ରାଜବୃକ୍ଷ ହୋଇଥିବାରୁ ଏହାକୁ ମଧ୍ୟ ଶ୍ରୀରାମ ମନ୍ଦିରର ଧ୍ୱଜାରେ ସ୍ୱତନ୍ତ୍ର ସ୍ଥାନ ଦିଆଯିବା ନେଇ କମିଟି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବରଗଛ ଭାରତର ରାଷ୍ଟ୍ରୀୟ ଗଛ ବୋଲି ପରିଚୟ ପାଇଥିବା ବେଳେ ତ୍ରେତୟା ଯୁଗରେ ଅଯୋଧ୍ୟାରେ କାଞ୍ଚନ ଗଛକୁ ରାଜବୃକ୍ଷର ପରିଚୟ ମିଳିଥିଲା ।

ସମୟକ୍ରମେ କାଞ୍ଚନ ଗଛ ମଧ୍ୟ ଲୋପ ପାଇବାକୁ ବସିଲାଣି । ଧାର୍ମିକ ଦୃଷ୍ଟିରୁ ଦେଖିଲେ, ଏହି ଗଛ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ପୁରାଣ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା ରହିଛି । ପୌରାଣିକ ମାନ୍ୟତା ଅନୁସାରେ, କାଶ୍ୟପ ଋଷି ଏହି ଗଛର ରଚନା କରିଥିଲେ । ଅଯୋଧ୍ୟାର ରାଜଧ୍ୱଜରେ ମଧ୍ୟ ଏହି ଗଛକୁ ଅଙ୍କନ କରାଯାଉଥିବା ହରିବଂଶ ପୁରାଣରେ ଉଲ୍ଲେଖ ରହିଛି । ତେଣୁ ଭବ୍ୟ ରାମ ମନ୍ଦିରର ଧ୍ୱଜାରେ ଏହାକୁ ସ୍ଥାନ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ।

ବାଲ୍ମିକୀ ରାମାୟଣରେ ମହର୍ଷି ବାଲ୍ମିକୀ ମଧ୍ୟ ଏହି ଗଛର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ପର୍ଯ୍ୟାବରଣ ପାଇଁ ଏହା ଖୁବ ଲାଭଦାୟକ ହୋଇଥିବା ବେଳେ ଏଥିରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣ ରହିଥିବା ପୁରାଣରେ ଉଲ୍ଲେଖ କରିଛନ୍ତି ମୁନି-ଋଷି । ରାମାୟଣ ଅନୁସାରେ, ଭରତ ଯେବେ ଶ୍ରୀରାମଙ୍କୁ ଅଯୋଧ୍ୟା ଫେରାଇ ନେବାକୁ ଚିତ୍ରକୁଟ ଯାଇଥିଲେ, ଭରତଙ୍କ ଧ୍ୱଜରେ ମଧ୍ୟ କାଞ୍ଚନ ଗଛ ଚିହ୍ନିତ ରହିଥିଲା । ଯାହାକୁ ଅନେକ ଦୂରରୁ ଦେଖି ଭ୍ରାତା ଲକ୍ଷ୍ମଣ ଚିହ୍ନ ପାରିଥିଲେ ।

Get real time updates directly on you device, subscribe now.