ଅଫ୍ଲାଇନ୍ରେ ହେବ ସିବିଏସ୍ଇ-ସିଆଇଏସ୍ସିଇ ପରୀକ୍ଷା, ହାଇବ୍ରିଡ୍ ମୋଡ୍ରେ ବୋର୍ଡ ପରୀକ୍ଷା କରାଇବା ଆବେଦନକୁ ସୁପ୍ରିମ୍କୋର୍ଟ କଲେ ଖାରଜ
ନୂଆଦିଲ୍ଲୀ: ଅଫ୍ଲାଇନ୍ରେ ହେବ ସିବିଏସ୍ଇ ଓ ସିଆଇଏସ୍ସିଇ ପରୀକ୍ଷା । ଅଫ୍ଲାଇନ୍ ମୋଡ୍ ବଦଳରେ ହାଇବ୍ରିଡ୍ (ମିଶ୍ରିତ) ମୋଡ୍ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସିବିଏସ୍ଇ ଓ ସିଆଇଏସ୍ସିଇକୁ ଆଦେଶ ଦେବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି । ଏହି ପ୍ରକ୍ରିୟାରେ ବାଧା ଦେବା ଠିକ୍ ନୁହେଁ ବୋଲି କୋର୍ଟ ସଫା ସଫା କହିଛନ୍ତି । ଅଫ୍ଲାଇନ୍ରେ ବୋର୍ଡ ପରୀକ୍ଷା କରାଇବା ପାଇଁ ସବୁ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି ଏବଂ ପରୀକ୍ଷା କେନ୍ଦ୍ର ସଂଖ୍ୟା ୬,୫୦୦ରୁ ୧୫,୦୦୦କୁ ବୃଦ୍ଧି କରାଯାଇଛି । ଏନେଇ କୋର୍ଟରେ ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଓ ସିଟି ରବିକୁମାରଙ୍କ ଦ୍ବାରା ଗଠିତ ଖଣ୍ଡପୀଠକୁ ସିବିଏସ୍ଇ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟା ଜଣାଇଥିଲେ ।
ସୂଚନାଯୋଗ୍ୟ, କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ଛଅଜଣ ଛାତ୍ର ୧୦ମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ହାଇବ୍ରିଡ୍ (ମିଶ୍ରିତ) ମୋଡ୍ରେ କରାଇବା ଲାଗି ସିବିଏସ୍ଇ ଓ ସିଆଇଏସ୍ଇ ଏକ ସଂଶୋଧିତ ପରିପତ୍ର ଜାରି କରନ୍ତୁ ବୋଲି ଦାବି କରି ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । ଇତିମଧ୍ୟରେ ସିବିଏସ୍ଇର ଟର୍ମ ୧ ବୋର୍ଡ ପରୀକ୍ଷା ନଭେମ୍ବର ୧୬ରେ ଆରମ୍ଭ ହୋଇଥିବା ବେଳେ ସିଆଇଏସ୍ସିଇର ପ୍ରଥମ ସିମେଷ୍ଟାର ବୋର୍ଡ ପରୀକ୍ଷା ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି। ଖଣ୍ଡପୀଠ କହିଥିଲେ ଯେ, ସେମାନଙ୍କର ଆଶା ଓ ବିଶ୍ବାସ ମହାମାରୀ ନ ବ୍ୟାପିବା ଲାଗି କର୍ତ୍ତୃପକ୍ଷ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବେ। ପରୀକ୍ଷା ଆରମ୍ଭ ହୋଇଯାଇଥିବାରୁ ଏ ଅବସ୍ଥାରେ ସେଥିରେ ହସ୍ତକ୍ଷେପ କରିବା ଉଚିତ ହେବନି ବୋଲି କୋର୍ଟ କହିଥିଲେ।