fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବର୍ଷକୁ ଦୁଇଥର ହେବ CBSE ବୋର୍ଡ ପରୀକ୍ଷା, ୨୦୨୪-୨୫ ଶିକ୍ଷାବର୍ଷରୁ ହେବ ଲାଗୁ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ପରୀକ୍ଷା ସମୟରେ ଚାପରେ ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉପରେ ତାହା ପ୍ରଭାବ ପକାଇଥାଏ । ତେବେ ଏନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷ ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦୁଇଥର ଆୟୋଜିତ ହେବ । ତେବେ ଏହି ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଗୋଟିଏ ବୋର୍ଡ ପରୀକ୍ଷା ଓ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଆଉ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏଭଳି ଭାବେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରାଯିବ । ଏହି ଦୁଇଟି ପରୀକ୍ଷାର ଶ୍ରେଷ୍ଠ ମାର୍କକୁ ଫଳାଫଳ ପାଇଁ ବିଚାରକୁ ନିଆଯିବ । ତଦନୁସାରେ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ମଧ୍ୟ ପ୍ରକାଶ କରାଯିବ । ଗତ ୨୦୨୧ ମସିହାରେ କୋଭିଡ-୧୯ କାରଣରୁ ସିବିଏସଇ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଇଥିଲେ ହେଁ ତାହା ୨୦୨୪-୨୫ ପରୀକ୍ଷା ପରିପ୍ରେକ୍ଷୀରେ ଗ୍ରହଣୀୟ ହେବ ନାହିଁ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୪-୨୫ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଗତବର୍ଷ ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ତେଣୁ ବର୍ତ୍ତମାନ ନବମ ଓ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ତାହା ଲାଗୁ ହେବ । ପିଲାଙ୍କ ଉପରୁ ପରୀକ୍ଷା ଜନିତ ଚାପ ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଯେଉଁ ପିଲାମାନେ ପ୍ରଥମ ବୋର୍ଡରେ ନିଜର ମାର୍କ ସଠିକ୍ ରହିଛି ବୋଲି ହୃଦୟଙ୍ଗମ କରନ୍ତି ସେମାନେ ଅନ୍ୟ ବୋର୍ଡ ପରୀକ୍ଷା ନଦେଲେ ଚଳିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.