fbpx

ମୋବାଇଲ୍‍ ସିମ୍‍ କାର୍ଡ ଡିଲରମାନଙ୍କ ପୋଲିସ୍‍ ଯାଞ୍ଚକୁ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମୋବାଇଲ୍‍ ସିମ୍‍କାର୍ଡ ଡିଲରମାନଙ୍କ ପୋଲିସ୍‍ ଯାଞ୍ଚକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି । ଜାଲିଆତି ରୋକିବା ସହିତ ବେଆଇନ ସଂଯୋଗ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଜାଲ୍‍ ତଥ୍ୟ ଦେଇ ନିଆଯାଇଥିବା ୫୨ ଲକ୍ଷ ମୋବାଇଲ୍‍ ସଂଯୋଗକୁ ରଦ୍ଦ କରିଦିଆଯାଇଛି । ଏହା ସହିତ ୬୭ ହଜାର ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଗତ ମଇ ମାସରୁ ସିମ୍‍କାର୍ଡ ଡିଲରମାଙ୍କ ବିରୁଦ୍ଧରେ ୩୦୦ ଏତଲା ଦାୟର କରାଯାଇଛି । ସେହିପରି ବିଭିନ୍ନ ଅପରାଧମୂଳକ ଏବଂ ଜାଲିଆତି କାର୍ଯ୍ୟରେ ସଂପୃକ୍ତ ଥିବା ୬୬ ହଜାର ହ୍ୱାଟ୍ସଆପ୍‍ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ସରକାରଙ୍କ ଏହି ପଦକ୍ଷେପ ନକଲି ସିମ୍ କାର୍ଡ ବିକ୍ରି ଏବଂ ସମାନ ନାମ କିମ୍ବା ଆଇଡିରେ ଏକାଧିକ ସିମ୍ କାର୍ଡ ବିକ୍ରୟ ବନ୍ଦ କରିବ। ଏହା ସ୍ପାମ୍ ଘଟଣାକୁ ମଧ୍ୟ ହ୍ରାସ କରିପାରିବ। ଗୋଟିଏ ଆଇଡିରେ ସିମ୍ କାର୍ଡ ସୀମାକୁ ସରକାର କମ୍ କରିପାରନ୍ତି। ଗୋଟିଏ ଆଇଡିରେ ୯ ବଦଳରେ ଜଣକୁ ୪ ସିମ୍ ଅନୁମତି ମିଳିପାରେ। ଅର୍ଥାତ୍ ଗୋଟିଏ ଆଇଡିରେ ୪ଟି ସିମ୍ ଇସ୍ୟୁ ହୋଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଆଇଡିରେ ୯ଟି ସିମ୍ ମିଳୁଥିଲା।

ଦେଶରେ ପ୍ରତିଦିନ ସିମ୍ କାର୍ଡ ଜାଲିଆତି ହେଉଛି। ନିକଟରେ ଗୋଟିଏ ଆଧାର କାର୍ଡରେ ୬୫୮ ଟି ସିମ୍ କାର୍ଡ ଜାରି କରାଯାଇଥିଲା ଏବଂ ଏହି ସମସ୍ତ ସିମ୍ କାର୍ଡ ବ୍ୟବହାର କରାଯାଉଥିଲା। ତାମିଲନାଡୁର ସାଇବର ଅପରାଧ ବିଭାଗ ଚଳିତ ସପ୍ତାହରେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦-୧୫୦ ସିମ୍ କାର୍ଡ ଜବତ କରିଛି। ଗତ ଚାରିମାସ ମଧ୍ୟରେ, ତାମିଲନାଡୁରେ ୨୫,୧୩୫ ସିମ୍ କାର୍ଡକୁ ଅବରୋଧ କରାଯାଇଛି। ବିଜୟୱାଡାର ଅନ୍ୟ ଏକ ମାମଲାରେ ସମାନ ଫଟୋ ପରିଚୟ ସହିତ ୬୫୮ ସିମ୍ କାର୍ଡ ଜାରି କରାଯାଇଛି। ଭାରତରେ ସାଇବର ଠକେଇ ମାମଲା କ୍ରମାଗତ ଭାବେ ବଢୁଛି। କଲ୍ ଡ୍ରପ୍, ଟେଲିକମ୍ ନେଟୱର୍କରେ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇପାରନ୍ତି।

Get real time updates directly on you device, subscribe now.