fbpx

Chandrayaan-3: ବିକ୍ରମ ଲାଣ୍ଡର ପଠାଇଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ, ଦେଖନ୍ତୁ Exclusive

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ଭାରତ ପାଇଁ ଥିଲା ଏକ ଐତିହାସିକ ମୁହୂର୍ତ୍ତ । ଆମେରିକା, ଚୀନ, ଜାପାନ ପରି ବିଶ୍ୱର ମହାଶକ୍ତିମାନେ ଯାହା କରିପାରିନଥିଲେ ତାହା ଆଜି ଭାରତ କରି ଦେଖାଇଛି । ସନ୍ଧ୍ୟା ୬ଟା ୪ ମିନିଟ ସମୟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଲାଣ୍ଡିଂ କରିଥିଲା । ଭାରତ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଥିଲା ।

ତେବେ ଚନ୍ଦ୍ରରେ ପହଞ୍ଚିବା ପରେ ଲ୍ୟାଣ୍ଡର ବିକ୍ରମ ତା’ର କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଦେଇଛି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପ୍ରଥମ ଫଟୋ ଉତ୍ତୋଳନ କରି ପଠାଇଛି । ଭାରତ ପ୍ରଥମ ଦେଶ ଭାବେ ପୃଥିବୀର ଏକମାତ୍ର ପ୍ରାକୃତି ଉପଗ୍ରହର ସାଉଥ ପୋଲରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି । ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କ ମୁତାବକ, ୨୦୪ ଘଣ୍ଟା ମଧ୍ୟରେ ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ଲ୍ୟାଣ୍ଡିଂ ହେବାକୁ ଥିବା ସ୍ଥାନରେ ଧୂଳି କିପରି ଜମୁଛି ଏହା ତା’ ଉପରେ ନିର୍ଭର କରୁଛି ।

ଏହାପରେ ଚାର୍ଜଯୁକ୍ତ ବ୍ୟାଟେରୀ ମାଧ୍ୟମରେ ଇସ୍ରୋ ରୋଭରକୁ ଜୀବିତ ରଖିବାକୁ ପ୍ରୟାସ କରିବ । ଯଦି ଏହା ସଫଳ ହୁଏ ତେବେ ଆଗାମୀ ୧୪ ଦିନ ପାଇଁ ରୋଭରକୁ ଉପଯୋଗ କରାଯିବ । ସାଧାରଣ ଭାବେ ପୃଥିବୀର ୧୪ ଦିନକୁ ମିଶାଇ ଗୋଟିଏ ଚନ୍ଦ୍ର ଦିବସ ହୋଇଥାଏ । ଚନ୍ଦ୍ରରେ ୧୪ ଦିନ ପର୍ଯ୍ୟନ୍ତ ଦିନ ଓ ପରବର୍ତ୍ତୀ ୧୪ ଦିନ ପର୍ଯ୍ୟନ୍ତ ରାତି ହୋଇଥାଏ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ନିଜର ମିଶନକୁ ସଫଳ କରିବା ପାଇଁ ସୋଲାର ଉର୍ଜାର ବ୍ୟବହାର କରିବେ ।

Get real time updates directly on you device, subscribe now.