ବଦଳିଲା ମୋବାଇଲରେ ସିମ୍ ରଖିବାର ନିୟମ, ସରକାର ସ୍ଥିର କଲେ ଲିମିଟ୍

ନୂଆଦିଲ୍ଲୀ : ଦୂର ସଞ୍ଚାର ବିଭାଗ ପକ୍ଷରୁ ବୁଧବାର ଦିନ ଏକ ନୂଆ ନିୟମ ଜାରି କରାଯାଇଛି, ଯେଉଁଥିରେ ଅଧିକ ସିମ୍ ରଖିବାର ଛାଡକୁ ବାତିଲ କରାଯାଇଛି । ଟେଲି କମ୍ୟୁନିକେସନ ବିଭାଗର ନୂଆ ନିୟମ ଅନୁସାରେ, ଏବେ ୯ଟି ସିମରୁ ଅଧିକ ସିମ୍ ରଖିଥୀବା ୟୁଜର୍ସଙ୍କ ସିମ କାର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ ହୋଇଛି ।

ଯଦି ଏହି ସିମ୍ କାର୍ଡଗୁଡିକ ଯାଞ୍ଚ ହୋଇନଥାଏ, ତେବେ ସେଗୁଡିକ ଅକ୍ଷମ ହେବ । ଜମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବ ରାଜ୍ୟ ପାଇଁ ଏହି ସଂଖ୍ୟା ମାତ୍ର ଛଅ ଅଟେ । ଟେଲିକମ୍ ବିଭାଗ ଟେଲିକମ୍ କମ୍ପାନୀଗୁଡ଼ିକୁ ସେହି ସମସ୍ତ ମୋବାଇଲ୍ ନମ୍ବରକୁ ଡାଟାବେସରୁ ବାହାର କରିବାକୁ କହିଛି ଯାହା ନିୟମ ଅନୁଯାୟୀ ବ୍ୟବହାର ହେଉନାହିଁ । ଟେଲିକମ୍ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଯଦି ଗ୍ରାହକଙ୍କ ଠାରୁ ଅଧିକ ସିମ୍ କାର୍ଡ ମିଳେ, ତେବେ ସେମାନଙ୍କୁ ନିଜ ପସନ୍ଦର ସିମ୍ ରଖିବା ଏବଂ ବାକି ସବୁ ବନ୍ଦ କରିବାକୁ ବିକଳ୍ପ ଦିଆଯିବ, କିନ୍ତୁ ଏହାର ସୀମା ୯ରୁ ଅଧିକ ହେବ ନାହିଁ ।

ଟେଲିକମ୍ ବିଭାଗ କହିଛି ଯେ ବିଭାଗ ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ଯଦି କୌଣସି ଗ୍ରାହକଙ୍କ ସମସ୍ତ ଟେଲିକମ୍ କମ୍ପାନୀର ସିମ୍ କାର୍ଡର ଧାର୍ଯ୍ୟ ସୀମାଠାରୁ ଅଧିକ ଅଛି, ତେବେ ସମସ୍ତ ସିମ୍ ପୁନ-ଯାଞ୍ଚ କରାଯିବ । ଆର୍ଥିକ ଅପରାଧ, ଆପତ୍ତିଜନକ କଲ୍, ସ୍ୱୟଂଚାଳିତ କଲ୍ ଏବଂ ଠକେଇ ଘଟଣାର ଅନୁସନ୍ଧାନ ଲକ୍ଷ୍ୟରେ ଟେଲିକମ୍ ବିଭାଗ ଏହି ପଦକ୍ଷେପ ନେଇଛି ।