fbpx
BSKY SKY
BSKY SKY

ବିଜୟ ଟ୍ରାକରେ ଚେନ୍ନାଇ ଏକ୍ସପ୍ରେସ: ଦମଦାର ବୋଲିଂ କରି ସିଜନର ପ୍ରଥମ ବିଜୟ ହାସଲ କଲା CSK

BSKY

ମୁମ୍ବାଇ: ରବିନ ଉତ୍ଥାପା ଏବଂ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ପରେ ଦ୍ୱିତୀୟ ଇନିଂସରେ ଦେଖିବାକୁ ମିଳିଛି ମହୀଶ ଶୋ’ । ୪ ଓଭରରେ ୩୩ ରନ ବ୍ୟୟ କରିଥଇଲେ ସୁଦ୍ଧା ଆରସିବିକୁ ସମ୍ପୂର୍ଣ୍ଣ ବ୍ୟାକଫୁଟ ଠେଲି ଦେବା ସହିତ ଚେନ୍ନାଇ ପାଇଁ ବିଜୟ ଭେଟି ଦେଇଛନ୍ତି ଥୀକ୍ସନା । ୪ ଓଭରରେ ୪ ୱିକେଟ ଅକ୍ତିଆର କରି ଦ୍ୱିତୀୟ ଇନିଂସରେ ଚେନ୍ନାଇ ପାଇଁ ସାଜିଥିଲେ ଆଉ ଏକ ହିରୋ । ଜାଡେଜା ମଧ୍ୟ ୩ଟି ୱିକେଟ ନେଇ ଦଳକୁ ବିଜୟର ମୁକୁଟ ପିନ୍ଧାଇବାରେ ଆଏ ଜଣେ ନାୟକ ପାଲଟିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି ଚେନ୍ନାଇ ସିଜନର ପ୍ରଥମ ପଏଣ୍ଟ ହାସଲ କରିଛି ।

୨୧୭ ରନର ଏକ ବିଶାଳ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଏବଂ ଅନୁଜ ରାୱତ । କିନ୍ତୁ ମହୀଶ ଥୀକ୍ସନାଙ୍କ ଫିରକି ଆଗରେ ନତମସ୍ତକ ହୋଇଛି ବାଙ୍ଗାଲୋର । ତୃତୀୟ ଓଭରରେ ହିଁ ଦଳକୁ ପ୍ରଥମ ଏକ ବଡ ସଫଳତା ଦେଇଥିଲେ ଏହି ସ୍ପିନ ବୋଲର । ମାତ୍ର ୯ ବଲରେ ୮ ରନ କରିଥିବା ବେଳେ ମହୀଶଙ୍କ ପ୍ରଥମ ଶିକାର ପାଲଟିଥିଲେ ଦଳର ଅଧିନାୟକ ଫାଫ ଡୁପ୍ଲେସିସ । ଏହାପରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନିକଟରୁ ଏକ ବଡ ଆଶା କରାଯାଇଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ପଞ୍ଚମ ଓଭରରେ ବିରାଟ କୋହଲି ମଧ୍ୟ ୧ ରନ କରି ମୁକେଶ ଚୌଧୂରୀଙ୍କ ଶିକାର ହୋଇଥିଲେ । ଏହାପରେ ଜଣକ ପରେ ଜଣେ ମହୀଶଙ୍କ ଫିରକିରେ ଫଶିଥିଲେ ଆରସିବିର ବ୍ୟାଟ୍ସମ୍ୟାନ । ଅନୁଜ ରାୱତ, ଶହବାଜ ଅହମ୍ମଦ ଏବଂ ସୁୟଶ ପ୍ରଭୁଦେଶାଇଙ୍କୁ ଶିକାର କରି ବାଙ୍ଗାଲୋରକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ମହୀଶ । ତେବେ ତାଙ୍କ ସାଥ ଦେଇଥିଲେ ଅଧିନାୟକ ରବିନ୍ଦ୍ର ଜାଡେଜା । ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା ଏବଂ ଆକାଶ ଦୀପଙ୍କୁ ପାଭିଲିୟନ ପଠାଇଛନ୍ତି ଜାଡେଜା । ବାଙ୍ଗାଲୋର ତରଫରୁ ସର୍ବାଧିକ ରନ ବନାଇଛନ୍ତି ଦୀନେଶ କାର୍ତ୍ତିକ ଏବଂ ପ୍ରଭୁଦେଶାଇ । ଚମତ୍କାର ପାଳିରେ ଦଳକୁ ବିଜୟର ଆଶା ଦେଇଥିଲେ ଏହି ଦୁଇ ଖେଳାଳି । ୧୪ ବଲରେ ୩ଟି ଛକା ଏବଂ ୨ ଚୌକା ସହ ୩୪ ରନର ଦ୍ରୁତ ପାଳି ଖେଳିଥିବା ବେଳେ ରାୱତ ୧୮ ବଲରେ ଗୋଟିଏ ଛକା ଏବଂ ୫ ଚୌକା ସହ ୩୪ ରନ କରିଛନ୍ତି । ଶେଷରେ ମ୍ୟାଚକୁ ୨୩ ରନରେ ଜିତି ନେଇଛି ଚେନ୍ନାଇ ।

ସେପଟେ ଚେନ୍ନାଇ ପକ୍ଷରୁ ବୋଲିଂ କରି ସବାଧିକ ୱିକେଟ ଅକ୍ତିଆର କରିଛନ୍ତି ମହୀଶ ଥୀକ୍ସନା । ୪ ଓଭରରେ ୩୩ ରନ ବ୍ୟୟ କରି ସେ ମୂଲ୍ୟବାନ ୪ଟି ୱିକେଟ ହାସଲ କରିଛନ୍ତି । ତେବେ ଅଧିନାୟକ ରବିନ୍ଦ୍ର ଜାଡେଜା ମଧ୍ୟ ୪ ଓଭରରେ ୩୯ ରନ ଦେଇ ୩ଟି ୱିକେଟ ନିଜ ନାମରେ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁକେଶ ଚୌଧୂରୀ ଏବଂ ଡ୍ୱେନ ବ୍ରାଭୋଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିବା ବେଳେ କ୍ରିସ ଜୋର୍ଡାନ ଏବଂ ମୋଇନ ଅଲୀ ୱିକେଟଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.