fbpx

ବିବାହ ଉତ୍ସବରୁ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ, ଡିଜେ ଶବ୍ଦରେ ଦବିଯାଇଥିଲା ପୀଡ଼ିତାଙ୍କ ସ୍ୱର; ୫ ଜଣଙ୍କ ମଧ୍ୟରୁ ଦୁଇ ଗିରଫ

ଛତିଶଗଡ଼: ବିବାହ ଉତ୍ସବ ଚାଲିଥିବା ସମୟରେ ଜଣେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଛି । ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଅନ୍ୟମାନେ ଏଯାବତ୍ ଧରାପଡ଼ି ନାହାନ୍ତି । ତେବେ ଅପହରଣ କରି ନେଉଥିବା ସମୟରେ ନାବାଳିକା ଜଣକ ଖୁବ୍ ଜୋରରେ ପାଟି କରିଥିଲେ ଓ ସେଠାରୁ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତ ମାନେ ତାଙ୍କୁ ମାଡ଼ ମାରିଥିଲେ । ସାହାଯ୍ୟ ପାଇଁ ଖୁବ୍ ଜୋରରେ ପାଟି ମଧ୍ୟ କରିଥିଲେ । ହେଲେ ବିବାହ ଉତ୍ସବରେ ଡିଜେ ବାଜୁଥିବାରୁ କିଛି ବି ଶୁଣାଯାଇନଥିଲା ।

ସୂଚନା ଅନୁସାରେ, ରାତି ୯ଟା ୩୦ରେ ନାବାଳିକା ଜଣକ ବିବାହ ଉତ୍ସବକୁ ଯାଉଥିବା ବେଳେ ସେଠାରେ ଥିବା ୫ ଜଣ ଯୁବକ ତାଙ୍କୁ ବଳପୂର୍ବକ ଜଙ୍ଗଲକୁ ଉଠାଇ ନେଇଯାଇଥିଲେ । ତାଙ୍କୁ ସେଠାରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହି ସମୟରେ ପୀଡ଼ିତା ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ଓ ଗୋଟିଏ ଗାତରେ ପଡ଼ିଯାଇଥିଲେ । ଫଳରେ ତାଙ୍କ ଶରୀରରେ କ୍ଷତ ହୋଇଯାଇଥିଲା । ଏହି ଘଟଣା ଫେବୃଆରୀ ୧୭ ତାରିଖରେ ଘଟିଥିବା ଜଣାପଡ଼ିଛି ।

୧୭ ତାରିଖ ଦିନ ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ନାଚଗୀତ ହେଉଥିବା ବେଳେ ନାବାଳିକାଙ୍କୁ ଉଠାଇ ନେଇଥିଲେ ଅଭିଯୁକ୍ତ । ଏହାପରେ ପୀଡ଼ିତାଙ୍କ ସାଙ୍ଗ ମାନେ ତାଙ୍କୁ ଖୋଜିବାକୁ ଲାଗିଲେ । ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ପାଇନଥିଲେ । ସକାଳ ପାହିବା ପରେ ନାବାଳିକା ଜଣକ ଲହୁଲୁହାଣ ଅବସ୍ଥାରେ ଘରେ ପହଞ୍ଚିଥିଲେ ଓ ପୂରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ।

ଏହାପରେ ପରିବାର ଲୋକେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ଓ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ,ହୋଇଥିବାରୁ ତାଙ୍କୁ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଅନ୍ୟପଟେ ପୋଲିସ୍ ମାମଲା ରୁଜୁ କରିଥିଲା । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ଏବଂ ଅନ୍ୟ ୩ ଜଣ ଏବେ ବି ଫେରାର୍ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି ପୋଲିସ୍ ।

Get real time updates directly on you device, subscribe now.