ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ: ସୋମବାର ରାମଲାଲାଙ୍କୁ କରିବେ ଦର୍ଶନ, ମଙ୍ଗଳବାର ଭୁବନେଶ୍ଵର ଫେରିବାର ସୂଚନା
ନୂଆଦିଲ୍ଲୀ : ମହାସ୍ନାନର ଶେଷ ସପ୍ତାହ। ଆଉ ଦୁଇ ତିନି ଦିନ ପରେ ପୁରା ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ। ୨୬ ତାରିଖରେ ମହାକୁମ୍ଭ ସରିବାକୁ ଯାଉଛି। ଏଥିଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି(ସୋମବାର) ଅଯୋଧ୍ୟା ରାମ ମନ୍ଦିର ଯାଇ ରାମଲାଲାଙ୍କୁ ଦର୍ଶନ କରିବେ। ପରେ ବାରଣାସୀ ଯିବେ। ଏବଂ ସେଠାରେ ରାତ୍ରିଯାପନ କରିବା ପରେ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି।
ତେବେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୬୦ କୋଟି ଅତିକ୍ରମ କରିଛି ଭକ୍ତଙ୍କ ସଂଖ୍ୟା । ଶନିବାର ମଧ୍ୟାହ୍ନ ସୁଦ୍ଧା, ୭୧.୧୮ ଲକ୍ଷରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀରେ ସ୍ନାନ କରିସାରିଛନ୍ତି । ମହାକୁମ୍ଭର ଶେଷ ବୁଡ଼ ମହା ଶିବରାତ୍ରୀ, ଫେବୃଆରୀ ୨୬ ତାରିଖରେ ହେବାକୁ ଯାଉଛି ।
ପ୍ରୟାଗରାଜ ପ୍ରଶାସନର ସରକାରୀ ସୂତ୍ର ଅନୁଯାୟୀ, ମୌନି ଅମାବାସ୍ୟାରେ ସର୍ବାଧିକ ସଂଖ୍ୟକ ପ୍ରାୟ ୮ କୋଟି ଭକ୍ତ ସ୍ନାନ କରିଥିଲେ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି । ଏହା ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । ଏହି ବିଶେଷ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିବେଚନା କରାଯାଏ ।