fbpx

ପୁରୁଷ ହକି ବିଶ୍ୱକପ୍‍-୨୦୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଦ୍ୱାରା ଉଦ୍‍ଘାଟିତ

କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍-୨୦୨୩ର ଉଦ୍‍ଘାଟନୀ ସମାରୋହ କିଛି ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମିଳିତଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି। ଉଦ୍‍ଘାଟନୀ ସମାରୋହରେ ହକି ୱାର୍ଲଡ୍‍ କପ୍‍ ସଙ୍ଗୀତ ପରିବେଷଣ କରାଯାଇଛି ।

୧୬ଟି ରାଷ୍ଟ୍ର ସମେତ ପୂରା ଦେଶବାସୀ ଏହି କାର୍ଯ୍ୟକ୍ରମକୁ ଦେଖିପାରୁଛନ୍ତି। ଷ୍ଟାଡିୟମ୍‍ରେ ଅପରାହ୍ନ ୩ଟାରୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟାରୁ ଡିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବାବେଳେ ପରେ ପରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ନିତୀ ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‍, ର‌୍ୟାପର ବିଗ୍‍ ଡିଲ୍‍, ଋତୁରାଜ ମହାନ୍ତି ଏବଂ ସବ୍ୟସାଚୀ ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ବାରବାଟୀ ଷ୍ଟାଡିୟମ୍‍ ସମେତ ସାରା ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି।

ଆଜି ପୂର୍ବାହ୍ଣରେ କଟକ ମହାନଗର ନିଗମ ପକ୍ଷରୁ ହକି ବିଶ୍ୱକପ୍‍ ଟ୍ରଫିକୁ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯାଇଥିଲା। ସେହିପରି ଏହି ଆୟୋଜନର ସିଧା ପ୍ରସାରଣ ଦେଖିବା ପାଇଁ ଅପରାହ୍ଣ ଗୋଟାଏରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଷ୍ଟାଡିୟମ୍‍ରେ ପ୍ରାୟ ୪୫ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କଟକରେ ବିଶ୍ୱକପ୍‍ ହକିର ଉଦ୍‍ଘାଟନକୁ ସ୍ୱାଗତ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିଯାତ୍ରା ପଡ଼ିଆରେ ହକି ବଲ୍‍ରେ ଏକ ସୁନ୍ଦର ବାଲୁକା କଳାକୃତି ନିର୍ମାଣ କରିଛନ୍ତି ।

ଅନ୍ୟପକ୍ଷରେ କଟକ ମହାନଗର ନିଗମ ପକ୍ଷରୁ ୧୬ଟି ଫ୍ୟାନ୍‍ପାର୍କ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସେଇ ସବୁ ସ୍ଥାନରେ ବଡ଼ ଏଲ୍‍ଇଡି ସ୍କ୍ରିନ୍‍ ଲଗାଯିବା ସହ ଦର୍ଶକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ଏଫ୍‍ଆଇଏଚ୍‍ ପୁରୁଷ ହକି ବିଶ୍ୱକପ୍‍ର ପଞ୍ଚଦଶ ସଂସ୍କରଣ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ।

 

Get real time updates directly on you device, subscribe now.