fbpx

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ! ସର୍ଭେ ଓ ବିଶେଷଜ୍ଞଙ୍କ ରିପୋର୍ଟ କ’ଣ କହୁଛି

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଭାରତର ଶକ୍ତି ବଢ଼ିବାରେ ଲାଗିଛି । କୋଭିଡ ଟିକାକରଣ, ଆତଙ୍କବାଦର ବିଲୋପ ସହିତ ଶାନ୍ତିର ବାର୍ତ୍ତା ପ୍ରଦାନ କ୍ଷେତ୍ରରେ ବିଶ୍ୱର ମହାଶକ୍ତିମାନେ ଭାରତର ସହଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି । ନିକଟରେ ଏକବର୍ଷ ପାଇଁ ଭାରତ ଜି-୨୦ ଗ୍ରୁପର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି । ତେବେ ଏହା ମଧ୍ୟରେ ଭାରତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଭାରତର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ସ୍ଥାୟୀ ସଦସ୍ୟ ହେବାର ସମ୍ଭାବନା ରହିଛି । ବିଶ୍ୱରେ ୟୁଏନଏସସି ପରି ସଂସ୍ଥାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲେ ଭାରତକୁ ଅଧିକ ସମର୍ଥନ ମିଳିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ ଏକ ସର୍ଭେ ମୁତାବକ, ଆସନ୍ତା ୧୦ ବର୍ଷ ମଧ୍ୟରେ ଯଦି ୟୁଏନଏସସିର ସଦସ୍ୟ ସଂଖ୍ୟା ବୃଦ୍ଧି ପାଏ, ତେବେ ଭାରତର ସଦସ୍ୟତାକୁ ପ୍ରାଥମିକତା ଦିଆଯିବ ।

ବର୍ତ୍ତମାନ ୟୁଏନଏସସିରେ ୧୫ ଜଣ ସଦସ୍ୟ ରାଷ୍ଟ୍ର ରହିଛନ୍ତି । ସେଥିମଧ୍ୟରେ ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଓ ୧୦ଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ରହିଛନ୍ତି । ସ୍ଥାୟୀ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଆମେରିକା, ବ୍ରିଟେନ, ରୁଷ, ଫ୍ରାନ୍ସ ଓ ଚୀନ ରହିଛନ୍ତି । ଅସ୍ଥାୟୀ ରାଷ୍ଟ୍ରମାନେ ପ୍ରତି ଦୁଇବର୍ଷରେ ପରିବର୍ତ୍ତନ ହୋଇଥାନ୍ତି । ତେବେ କେବଳ ଚୀନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଷ୍ଟ୍ର ଭାରତକୁ ସ୍ଥାୟୀ ସଦସ୍ୟତା ନେଇ ସମର୍ଥନ କରୁଛନ୍ତି । ଆଗାମୀ ଦିନରେ ଭାରତ ସହିତ ଦକ୍ଷିଣ ଆଫ୍ରିକା, ନାଇଜେରିଆ ଓ ବ୍ରାଜିଲ ପରି କିଛି ରାଷ୍ଟ୍ରକୁ ସ୍ଥାୟୀ ସଦସ୍ୟତା ମିଳିବାର ଅନୁମାନ କରିଛନ୍ତି ବିଶେଷଜ୍ଞ । ଭାରତର ସଦସ୍ୟତା ନେଇ ୨୬ ପ୍ରତିଶତ ସମ୍ଭାବନା ରହିଛି ।

Get real time updates directly on you device, subscribe now.