fbpx

BIG NEWS: ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ପୂରଣ ହେବ ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । କାରଣ ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନବନିର୍ମିତ ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏଠାରେ ଟ୍ରାଏଲ୍‌-ରନ୍‌ ସଫଳତାର ସହ ହୋଇଥିଲା। ଆଉ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ‘୫-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଯୋଗ ଦେଇଛନ୍ତି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ଉନ୍ନତିକରଣ ହୋଇଛି। ଆଉ ଏହି ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ଇନଟୁ ୩୦ ମିଟର ରନୱେ ନିର୍ମାଣ ହୋଇଛି । ଏହା ସହ ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ସ୍ୱାଭିମାନୀ ଜିଲ୍ଲା ମାଲକାନଗିରି ଆକାଶ ମାର୍ଗରେ ଯୋଡି ହୋଇଛି। ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ସେହିପରି ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ। ତେବେ ଏହି ବିମାନ ବନ୍ଦରକୁ ନେଇ ପୁରା ଜିଲ୍ଲାବାସୀ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଏହି ବିମାନ ବନ୍ଦରର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜିଲ୍ଲାର ଗୋବିନ୍ଦପାଲି ଇରୀଗେସନ ପ୍ରକଳ୍ପକୁ ଉଦଘାଟନ କରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି । ସପ୍ତଧାରା ଇରିଗେସନ ପ୍ରକଳ୍ପ ପାଇଁ ୩ ହଜାର ୫ସହ କୋଟି ସହ ମାଲକାନଗିରି ଜିଲ୍ଲା ପାଇଁ ମୋଟ ୪୧୮୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.