୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ବ୍ୟବସାୟିକ ସମ୍ପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ କରିବେ ଆଲୋଚନା 

ଭୁବନେଶ୍ୱର: ତିନି ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେଲା ପରେ ଏହା ତାଙ୍କ ପ୍ରଥମ ବିଦେଶ ଗସ୍ତ ହେବ । ଆସନ୍ତା ୧୮,୧୯ ଓ ୨୦ ତାରିଖରେ  ଇନଭେଷ୍ଟର୍ସ ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି । ଓଡ଼ିଶାରେ କିଭଳି ଅଧିକରୁ ଅଧିକ ନିବେଶ ହୋଇପାରିବ ସେନେଇ ନିବେଶକଙ୍କ ସହ ଆଲୋଚନ କରିବେ ଶ୍ରୀ ମାଝୀ । ଏହା ପୂର୍ବରୁ ପୁଣି ଥରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ରହିଛି । ଏହି ଗସ୍ତ ସମୟରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟ ସରକାରଙ୍କ କିଛି ବରିଷ୍ଠ ଅଧିକାରୀ ସାମିଲ ରହିବେ ।

ସୂଚନା ଅନୁସାରେ, ଆସନ୍ତାକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଶ୍ରୀ ମାଝୀ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସହ ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନଭେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ରହିବେ । ଏହି ଗସ୍ତ ସମୟରେ ସେଠାରେ ରୋଡ୍ ଶୋ କରିବେ ଏବଂ ନିବେଶକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ନିକଟରେ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ଶୋ ଆୟୋଜିତ ହୋଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଥିଲେ । ଫଳରେ କେନ୍ଦୁଝରରେ ଜେଏସ୍‌ଡବଲ୍‌ୁ୍ୟ- ପୋସ୍କୋର ମିଳିତ ସହଯୋଗରେ ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବାର ଆଶା ଦେଖାଦେଇଛି ।