fbpx

ହିଞ୍ଜିଳି ଓ ଶେରଗଡ଼ରେ ୩୯ ସ୍କୁଲର ରୂପାନ୍ତରୀକରଣ କାମ ସମ୍ପୂର୍ଣ୍ଣ: ୨୧ରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍‌ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍‌ ଯୋଗେ ଶାସନଆମ୍ବଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକଙ୍କ ମତାମତ ଲୋଡିଥିଲେ । ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ରୂପାନ୍ତରୀକରଣ କାମ ପର୍ଯ୍ୟବେକ୍ଷଣ କରିଥିଲେ । ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ଏହି ସ୍ମାର୍ଟ କ୍ଲାସ ରୁମ୍‌ କାର୍ଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ହାଇଜେନିକ୍‌ ଟଏଲେଟ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡିଆ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ । ହିଞ୍ଜିଳି ଓ ଶେରଗଡ଼ର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସମ୍ପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌ ବିକାଶ କରାଯାଉଛି । ଏଥିରେ ପିଲାଙ୍କ ପାଇଁ କମ୍ପ୍ୟୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟାରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି । ୫-ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାଶ୍ୱିର୍କ ବିକାଶ କାମ ପର୍ଯ୍ୟବେକ୍ଷଣ କରିବା ସହ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ । ଏହା କାର୍ଯ୍ୟକୁ ତ୍ୱରାନ୍ୱିତ କରି ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇଟିଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଆଇଟିଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରୀ ପାଉଥିବାରୁ ସେମାନେ ଆଇଟିଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.