fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବଢ଼ିଲା ବିଧାୟକଙ୍କ ବେତନ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାଜ୍ୟରେ ବିଧାୟକଙ୍କ ବେତନ ବୃଦ୍ଧି ଘୋଷଣା କରିଛନ୍ତି । ଏଥିରେ ବିଧାୟକଙ୍କ ପ୍ରତିମାସ ବେତନରେ ୪୦ ହଜାର ଟଙ୍କା ବୃଦ୍ଧି ହୋଇଥିବା ମମତା ବିଧାନସଭାରେ ଘୋଷଣା କରିଛନ୍ତି । ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବେତନରେ କୌଣସି ସଂଶୋଧନ ହୋଇ ନାହିଁ । କାରଣ ଦୀର୍ଘ ସମୟରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରୀ ବେତନ ଗ୍ରହଣ କରୁ ନାହାନ୍ତି ।

ଏହି ବେତନ ବୃଦ୍ଧି ଘୋଷଣା କ୍ୟାବିନେଟର ମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ବିଧାୟକଙ୍କ ନିମନ୍ତେ ହୋଇଛି । ବେତନ ବୃଦ୍ଧି ଘୋଷଣା କରି ମମତା ବାନାର୍ଜୀ ଗୃହରେ କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାୟକ ଓ ମନ୍ତ୍ରୀମାନଙ୍କ ବେତନ ଅନ୍ୟ ରାଜ୍ୟର ମନ୍ତ୍ରୀ ଓ ବିଧାୟକଙ୍କଠାରୁ କମ୍ । ଏଣୁ ଏହି ବେତନ ବୃଦ୍ଧି ନିଷ୍ପତ୍ତି ହୋଇଛି ।

ତେବେ ବେତନ ବୃଦ୍ଧି ବ୍ୟତୀତ ମନ୍ତ୍ରୀ ଓ ବିଧାୟକଙ୍କ ଭତ୍ତା ତଥା ବିଭିନ୍ନ ସ୍ଥାୟୀ କମିଟି ସଦସ୍ୟ ଭାବେ ସେମାନଙ୍କର ଅତିରିକ୍ତ ବେତନ ଓ ଭତ୍ତା ସମ୍ପର୍କରେ ମମତା କିଛି କହି ନାହାନ୍ତି । ଯଦିଓ ମମତା ମନ୍ତ୍ରୀ ଓ ବିଧାୟକଙ୍କ ବେତନର ବିସ୍ତୃତ ବିବରଣୀ ଦେଇ ନାହାନ୍ତି ତେବେ ବିଧାୟକ ଏବେ ମିଳୁଥିବା ମାସିକ ବେତନ ୧୦ ହଜାର ଟଙ୍କା ବଦଳେ ୫୦ ହଜାର ଟଙ୍କା ପାଇବେ ।

ସମ୍ବାଦପତ୍ର ଦେଶବନ୍ଧୁ ଅନୁସାରେ ରାଜ୍ୟରେ ମନ୍ତ୍ରୀମାନଙ୍କ ମାସିକ ବେତନ ୧୦,୯୦୦ ଟଙ୍କାରୁ ବଢେଇ ୫୦ହଜାର ୯୦୦ ଟଙ୍କା କରି ଦିଆଯାଇଛି । ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନଙ୍କର ବେତନ ୧୧ ହଜାର ଟଙ୍କାରୁ ୫୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଏବେ ମନ୍ତ୍ରୀମାନଙ୍କୁ ମିଳୁଥିବା ମାସିକ ୧ ଲକ୍ଷ ୧୦ ଟଙ୍କାର ବେତନ ଓ ଭତ୍ତା ଏବେ ବଢି ୧ଲକ୍ଷ ୫୦ ହଜାର ଟଙ୍କା ହୋଇଯିବ ।

Get real time updates directly on you device, subscribe now.