fbpx
BSKY
BJD MC SKY
BJD MS SKY

ଓଡ଼ିଶାର ପ୍ରଧାନ ମହାଲେଖାକାରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ଅଡିଟ) ଅନନ୍ତ କିଶୋର ବେହେରାଙ୍କ ପରଲୋକ ଘଟିଛି । ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ଅନନ୍ତଙ୍କୁ ମୃତ୍ୟୁ ବେଳକୁ ୫୨ ବର୍ଷ ବୟସ ହୋଇଥିଲା । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ଖବର ମୁତାବକ, ଅନନ୍ତ ଫୁସଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଅନନ୍ତଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ଼ ଭାଇ ଓ ପତ୍ନୀ ଉପସ୍ଥିତ ରହିଥିଲେ । ଆଜି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ।

ଅନନ୍ତ ନିଜ ଚାକିରି କାଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବଡ଼ ବଡ଼ ପଦବୀରେ କାର୍ଯ୍ୟ ତୁଲାଇଥିଲେ । ସେ ପୂର୍ବତଟ ରେଳବାଇର ଅଡିଟର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବା ସହିତ ଦୋହା ଓ ଜେଦାହରେ ଥିବା ଦୂତାବାସରେ ଅଡିଟ୍ କାର୍ଯ୍ୟ କରିଥିଲେ । ସେ ଡେପୁଟେସନ ସମୟରେ ମୁମ୍ବାଇର ଆଣବିକ ଶକ୍ତି ବିଭାଗର ଆଭ୍ୟନ୍ତରୀଣ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ଗତ ବର୍ଷ ଫେବୃଆରୀ ମାସ ୧୧ ତାରିଖରେ ସେ ଓଡ଼ିଶାର ପ୍ରଧାନ ମହାଲେଖାକାର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.