fbpx

ପ୍ରକୃତିର ଏ କି ଅବିଚାର! ଗୋଟିଏ ପଟେ ଶୁଭୁଥିଲା ‘ୟଶ୍’ର ଭୟଙ୍କର ଗର୍ଜନ, ଅନ୍ୟ ପଟେ ରାସ୍ତାରେ ଶୁଣିବାକୁ ମିଳିଲା ନବଜାତକର କ୍ରନ୍ଦନ

ଭୁବନେଶ୍ୱର, (ଓଡିଶା ଭାସ୍କର): ସାମୁଦ୍ରିକ ଝଡ଼ ‘ୟଶ୍’ ଯେ କେବଳ ବର୍ଷା, ପବନ ଦ୍ୱାରା ଘରଦ୍ୱାରା, ରାସ୍ତାଘାଟ ଭଙ୍ଗାରୁଜା କରି କ୍ଷୟକ୍ଷତି ଘଟାଇଥିଲା ତା’ ନୁହେଁ, ଗୋଟିଏ ନିରୀହ ମାଆକୁ ନିଜର ସନ୍ତାନ ପ୍ରସବରୁ ବଞ୍ଚିତ କରିବା ନେଇ ଯଥାସାଧ୍ୟ ଉଦ୍ୟମ ମଧ୍ୟ କରିଥିଲା । ବାତ୍ୟା ଗର୍ଜନ କରିବା ସହ ୧୮୦ କିମି ବେଗରେ ପବନ ବହୁଥିଲା । ଠିକ୍ ଏହି ସମୟରେ ସୋନାଲି ନାଥ ନାମକ ଜଣେ ମହିଳାଙ୍କୁ ପ୍ରସବ ନିମନ୍ତେ ଏକ ଖଟିଆରେ ଭାରରେ ବୋହି ନିଆଯାଉଥିଲା । ତେବେ ଉଭୟ ମା’ ଶିଶୁଙ୍କ ଅଦମ୍ୟ ସାହସ ଆଗରେ ଶେଷରେ ହାର ମାନିଥିଲା ବାତ୍ୟା । ନିଜର ପରାକ୍ରମୀ ସନ୍ତାନକୁ ଏହି ବାତ୍ୟା ସମୟରେ ଜନ୍ମ ଦେଇଥିଲେ ସୋନାଲି ।

ଏହି ଘଟଣାଟି ଘଟିଛି, ବାଲେଶ୍ୱର ଜିଲ୍ଲାର ଅନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ । ସୋନାଲି ଭଦ୍ରକର ଭୀମସେନ ନାଥଙ୍କୁ ବିବାହ କରିଥିବା ବେଳେ ସେ ନିଜ ବାପଘରକୁ କିଛିଦିନ ତଳେ ଆସିଥିଲେ । ବାତ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ ସୋନାଲିଙ୍କୁ ହସ୍ପିଟାଲରେ ଭର୍ତ୍ତି ନେଇ କହିଥିଲେ । ମାତ୍ର ଡେଲିଭରି ଡେଟ୍ ଜୁନ ୧୭ ତାରିଖରେ ଥିବାରୁ ସୋନାଲି ଘରେ ରହିବାକୁ ଠିକ୍ ମନେକରିଥିଲେ । ବାତ୍ୟା ଲ୍ୟାଣ୍ଡଫଲ ହେବା ସହ ସୋନାଲିଙ୍କ ଯନ୍ତ୍ରଣା ଆରମ୍ଭ ହେବାରୁ ସୋନାଲିଙ୍କ ପିତା ଅନନ୍ତପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସହାୟତା ନେଇ ଯୋଗାଯୋଗ କରିଥିଲେ । ମାତ୍ର ସେମାନେ ସୋରୋ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ନେଇ ପରାମର୍ଶ ଦେଇଥିଲେ । ଏହାପରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାକୁ ଯୋଗଯୋଗ କରିଥିଲେ ମଧ୍ୟ ସହଯୋଗ ମିଳିନଥିଲା । ଏହାପରେ ଗ୍ରାମର ଏକ ଅଟୋରେ ସୋନାଲିଙ୍କୁ ନିଆଯିବା ସମୟରେ ଖରାପ ରାସ୍ତାରେ କାଦୁଆ ଭର୍ତ୍ତି ହୋଇଥିବାରୁ ଅଟୋ ଆଗକୁ ଯାଇପାରିନଥିଲା । ବେଳକୁ ବେଳ ସୋନାଲିଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା । ଏହା ମଧ୍ୟରେ ରାସ୍ତାରେ ସୋନାଲି ତାଙ୍କର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହାପରେ ମା’ ଓ ସନ୍ତାନଙ୍କୁ ସୋରୋ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ଉଭୟ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.