ଲକ୍ଷ୍ନୌ: ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି । ଜଣେ କ୍ୱାକ୍ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୋଲିସ ଅଧୀକ୍ଷକ କାଳୁ ସିଂହଙ୍କ କହିବାନୁଯାୟୀ ବୀଜପୁର ଥାନା ଅଞ୍ଚଳର ପିଣ୍ଡାରୀ ଗାଁରେ ଅଭିଷେକ ନାମକ ଜଣେ ଶିଶୁ ଗୁରୁବାର ଖେଳୁଥିବା ବେଳେ ଆହତ ହୋଇଥିଲା । ଏହା ପରେ ତାଙ୍କ ଜେଜେମା ନିକଟସ୍ଥ କ୍ଲିନିକକୁ ନେଇଥିଲେ । କ୍ଲିନିକରେ ଥିବା ଡାକ୍ତର ମହେଶ କୁମାର ଶର୍ମାଙ୍କ ନିକଟକୁ ଯାଇ କ୍ଷତକୁ ବ୍ୟାଣ୍ଡେଜ୍ କରିବାକୁ କହିଥିଲେ । ଏପରେ ଡାକ୍ତର ଜଣଙ୍କ ଶିଶୁର କ୍ଷତ ଶୀଘ୍ର ଠିକ୍ ହେବା ପାଇଁ ଏକ ଇଞ୍ଜେକ୍ସନ ଲଗାଇଥିଲେ । କିନ୍ତୁ ଏହାର କିଛି ସମୟ ପରେ ଶିଶୁର ମୃତ୍ୟୁ ହୋଇଥିଲା । ଏହି ଖବର ପୁରା ଗାଁରେ ବ୍ୟପିଗଲା । ପୋଲିସ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪) (ଠକେଇ), ୧୦୫(ଉଦ୍ଦେଶ୍ୟ ବିହୀନ ହତ୍ୟାକାଣ୍ଡ) ଏବଂ ଭାରତୀୟ ମେଡିକାଲ କାଉନସିଲ ଆକ୍ଟ ୧୯୫୬ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ପୋଲିସ ରବିବାର ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପୋଲିସର କହିବାନୁଯାୟୀ ଅଭିଯୁକ୍ତ ଜଣଙ୍କ ବିନା ପଞ୍ଜିକରଣ ଏବଂ ମେଡିକାଲ ଡିଗ୍ରୀରେ କ୍ଲିନିକ୍ ଚଲାଉଥିଲେ ।