CDS ରାୱତଙ୍କ ହେଲିକପ୍ଟର କ୍ରାସ ପଛରେ ଚୀନର ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ କଦାପି ଏକ ସାଧାରଣ ମୃତ୍ୟୁ ନୁହେଁ । ସେ ଜଣେ ସାଧାରଣ ଲୋକ ନଥିଲେ । ଦେଶର ସ୍ଥଳ, ଆକାଶ ଓ ଜଳ ତିନି ସେନାର ମୁଖ୍ୟ ସହ ୧୩୦ କୋଟି ଜନତାଙ୍କ ସୁରକ୍ଷା ତାଙ୍କ ହାତରେ ନ୍ୟସ୍ତ ଥିଲା । ସେ ଡୋକଲାମ, ସର୍ଜିକାଲ ଷ୍ଟ୍ରାଇକ ପରି ମେଗା ଆକ୍ସନ ନେଇ ଚୀନ ଓ ପାକିସ୍ତାନ ପରି ପଡ଼ୋଶୀ ଶତ୍ରୁ ରାଷ୍ଟ୍ରଙ୍କ ନିଦ ହଜାଇ ଦେଇଥିଲେ । ତେଣୁ ସିଡିଏସ ରାୱତଙ୍କର ଅନେକ ଶତ୍ରୁ ରହିଥିଲେ । ସେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଅଲଆଉଟ ଆରମ୍ଭ କରିବା ସହ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ । ତେବେ ସିଡିଏସଙ୍କ ମୃତ୍ୟୁରେ କିଛି ଷଡ଼ଯନ୍ତ୍ର ରହିଛି କି ନା ତାହା ତ ତଦନ୍ତ ପରେ ଜଣା ପଡ଼ିବ, ମାତ୍ର ଏହାକୁ ଏଡ଼ାଇ ଦେବା ଠିକ୍ ହେବ ନାହିଁ । ୧୯ ସେକେଣ୍ଡର ଭିଡିଓକୁ ତର୍ଜମା କଲେ ମଧ୍ୟ କିଛି ସନ୍ଦେହ ଉତ୍ପନ ହେଉଛି । କ୍ରାସ ହୋଇଥିବା ହେଲିକପ୍ଟରର ଦୁଇଟି ଇଞ୍ଜିନ ଡ୍ୟାମେଜ ହୋଇଯାଇଥିଲେ ମଧ୍ୟ ତାହା ଯାତ୍ରା କରିପାରିଥାନ୍ତା । ପୂର୍ବରୁ ତାହାକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ପରେ ମଧ୍ୟ କିପରି କ୍ରାସ ହେଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ଅଢ଼ୁଆଳରେ ରହିଯାଇଛି ।

ତେବେ ପାଇଲଟଙ୍କ ଭୁଲ ଯୋଗୁଁ ହେଲିକପ୍ଟର କ୍ରାସ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି । ଏଥିସହ ହେଲିକପ୍ଟରରେ ବମ, ଲେଜର ଆଟାକ ଆଦି ମଧ୍ୟ କରାଯାଇଥାଇପାରେ । ଦୁର୍ଘଟଣା ଘଟିଥିବା ଅଞ୍ଚଳଟି ଶ୍ରୀଲଙ୍କା ଆତଙ୍କୀ ସଂଗଠନ ଏଲଟିଟିଇର ଦୁର୍ଗ ହୋଇଥିବାରୁ ତାହା ମଧ୍ୟ ସନ୍ଦେହ ଘେରକୁ ଆସୁଛି । ସିଡିଏସଙ୍କ ମୃତ୍ୟୁ ପରେ ଚୀନ ଦୁଃଖ ପ୍ରକାଶ କରିବା ବଦଳରେ ଏହାକୁ ନେଇ ଭାରତର ମଜାକ ଉଡ଼ାଇଥିଲା । ଭାରତୀୟ ସେନାର ଅନୁଶାସନ ଓ ଯୁଦ୍ଧ ପ୍ରସ୍ତୁତି କମ୍ ଥିବା ଡ୍ରାଗନ କହିଥିଲା । ଏହାଠାରୁ ବଡ଼ ଅପମାନ ଦେଶ ପାଇଁ ଆଉ କିଛି ନଥାଇପାରେ । ତେବେ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚିଲାନେ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଗତ ୨୦୨୦ରେ ତାଇୱାନର ସେନାର ଜେନେରାଲଙ୍କ ହେଲିକପ୍ଟର ହ୍ରାସ ହୋଇଥିଲା । ଉକ୍ତ ଦୁର୍ଘଟଣାରେ ଜେନେରାଲଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଚୀନ ସହିତ ବିଶ୍ୱର ଦୁଇଟି ଦେଶ ତାଇୱାନ ଓ ଭାରତର ଟକ୍କର ଚାଲିଛି । ଦୁଇ ଦେଶର ସେନାର ଜେନେରାଲ ଗୋଟିଏ ପ୍ୟାଟର୍ଣ୍ଣରେ ମୃତ୍ୟୁବରଣ କରିଛନ୍ତି । ତେଣୁ ଏହି ଦୁଇ ଘଟଣାରେ କିଛିଟା ସାମଞ୍ଜସ୍ୟ ରହିଥିବାରୁ ଏହା ପଛରେ ଷଡ଼ଯନ୍ତ୍ର ଥିବା ସେ ଅନୁମାନ କରିଛନ୍ତି । ଚିଲାନିଙ୍କ ମନ୍ତବ୍ୟ ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ସେ ଜଣେ ବିଶ୍ୱସନୀୟ ପ୍ରତିରକ୍ଷା ବିଶେଷଜ୍ଞ ଅଟନ୍ତି । ତେବେ ହୁଏତ ଚିଲାନେଙ୍କ ଅନୁମାନ ମିଛ ହୋଇପାରେ, ମାତ୍ର ଏହାକୁ ସହଜରେ ଏଡ଼ାଇଦେବା ଆଦୌ ଠିକ୍ ହେବନି । ତେଣୁ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ କରାଇବା ଦରକାର ।