ବଢ଼ିଆ ଅଫର! ଯେଉଁ ଦମ୍ପତ୍ତି ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ଅଧିକ ସରକାରୀ ସୁବିଧା ମିଳିବ

ନୂଆଦିଲ୍ଲୀ: ସାଧାରଣ ଭାବେ ଜନସଂଖ୍ୟା ବୃଦ୍ଧି ଅନେକ ସମୟରେ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ । ତେଣୁ ଏହାକୁ ରୋକିବା ପାଇଁ ଅନେକ ସମୟରେ କିଛି ରାଷ୍ଟ୍ର ନୂଆ ପଲିସୀ ଲାଗୁ କରିଥାନ୍ତି । ତେବେ ଜନସଂଖ୍ୟାରେ ଅହେତୁକ ହ୍ରାସ କିଛି ରାଷ୍ଟ୍ର ପାଇଁ ଚିନ୍ତାର କାରଣ ପାଲଟିଥାଏ । ଏହା ମଧ୍ୟରେ ଚୀନ ସରକାର ଜନସଂଖ୍ୟା ବୃଦ୍ଧି ପାଇଁ ଅନେକ ନୂଆ ପଦକ୍ଷେପ ନେବା ସହିତ ଅଧିକ ଛୁଆ ଜନ୍ମ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଅଧିକ ଶିଶୁଙ୍କ ଜନ୍ମ ପାଇଁ ପ୍ରୋତ୍ସାହିତ କରି ଜନ୍ମ ହାର ବୃଦ୍ଧି କରିବା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ସରକରା ଅନେକ ନୀତି ଆଣିବା ସହିତ ଶିଶୁ ଜନ୍ମ ହେବା ପରେ ସବସିଡି ପ୍ରଦାନ କରିବା, ପରିଜନଙ୍କ ଟ୍ୟାକ୍ସ ଛାଡ଼ ପରି ଅନେକ ସୁବିଧା ଦେବାକୁ ଘୋଷଣା କରିଛନ୍ତି ।

ଏନେଇ ଚୀନର ଷ୍ଟେଟ କାଉନସିଲ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରି ଶିଶୁ ଜନ୍ମହାର ବୃଦ୍ଧି ପାଇଁ ପ୍ରୋତ୍ସାହିତ କରାଯାଇଛି । ସେଥିରେ ପ୍ରସବ ସହାୟତା ସେବା ବୃଦ୍ଧି, ଚାଇଲ୍ଡ କେୟାର ସିଷ୍ଟମର ବିସ୍ତାର, ଶିକ୍ଷା, ଆବାସ ଓ ରୋଜଗାରକୁ ନେଇ ସହାୟତା ପ୍ରଦାନ ନେଇ ୧୩ ସୂତ୍ରୀୟ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି । ଏଥିସହିତ ଶିଶୁ ଜନ୍ମ ପାଇଁ ଅନୁକୂଳ ସାମାଜିକ ପରିବେଶ ସୃଷ୍ଟି କରିବା ମଧ୍ୟ ସରକାରଙ୍କର ପ୍ରାଥମିକତା ବୋଲି କୁହାଯାଇଛି । ଏହି ସବୁ ନୂଆ ନୀତି ମାଧ୍ୟମରେ ଶିଶୁ ଜନ୍ମ ସିବସିଡି ବ୍ୟବସ୍ଥାରେ ସୁଧାର ଆସିବ ବୋଲି କୁହାଯାଇଛି ।

ବିବାହ, ଶିଶୁ ଜନ୍ମ କରିବା ଓ ନୂଆ ସଂସ୍କୃତିକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସଠିକ୍ ବୟସରେ ବିବାହ କରିବା, ପିତା-ମାତା ମିଶି ଶିଶୁର ଯତ୍ନ ନେବା ଜରୁରୀ । ସେଥିପାଇଁ ମାତୃତ୍ୱ ବୀମା, ମାତୃତ୍ୱ ଅବକାଶ, ସବସିଡି, ଶିଶୁଙ୍କ ପାଇଁ ସୁବିଧା ସାମିଲ ରହିଛି । ଶିଶୁଙ୍କ ଯତ୍ନ ପାଇଁ କେନ୍ଦ୍ରୀୟ ବଜେଟରେ ଅନେକ ବ୍ୟବସ୍ଥା କରାଯାଇଛି । ଏପରି ସେବା ପାଇଁ ଶୁଳ୍କରେ ଛାଡ଼ ପାଇଁ ମଧ୍ୟ ସୁପାରିଶ କରାଯାଇଛି । ସୂଚନାଯୋଗ୍ୟ ଯେ, ଚୀନର ଜନସଂଖ୍ୟା ବର୍ତ୍ତମାନ ୧.୪ ଅରବ ରହିଥିବା ବେଳେ ଗତ କିଛି ବର୍ଷ ଧରି ସେଠାରେ ଜନ୍ମ ହାର ରେକର୍ଡ ସ୍ତରରେ ତଳକୁ ଖସିବାରେ ଲାଗିଛି । ଏହି ରେସରେ ଭାରତକୁ ଚୀନକୁ ଟପିଯିବା ସହ ବିଶ୍ୱର ଜନବହୁଳ ରାଷ୍ଟ୍ରର ମାନ୍ୟତା ଲାଭ କରିଛି । ତେଣୁ ଜନସଂଖ୍ୟା ବୃଦ୍ଧିକୁ ନେଇ ଚୀନ ବ୍ୟଥିତ ହେବା ସହ ଜନ୍ମ ହାର ବୃଦ୍ଧି ପାଇଁ ଆଶାବାଦୀ ରହିଛି । ଗତବର୍ଷ ଚୀନର ପାଖାପାଖି ୩୦ କୋଟି ଲୋକଙ୍କ ବୟସ ୬୦ ଉପରେ ରହିଥିଲା । ଅର୍ଥାତ ଏହା ମୋଟ ଜନସଂଖ୍ୟାର ପାଖାପାଖି ୨୧.୧ ପ୍ରତିଶତ । ତା’ ପୂର୍ବ ବର୍ଷ ଏହି ସଂଖ୍ୟା ୨୮ କୋଟି ରହିଥିଲା ।