fbpx

ୟୁକ୍ରେନ ଯୁଦ୍ଧରେ ଋଷିଆକୁ ସାହାଯ୍ୟ କରୁଥିବା ନାଟୋ ଅଭିଯୋଗ ଉପରେ ଜବାବ ରଖିଲା ଚୀନ୍

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧରେ ଚୀନର ସମ୍ପୃକ୍ତି କୁ ନେଇ ନାଟୋ ମଙ୍ଗଳବାର କଠୋର ମନ୍ତବ୍ୟ ଦେଇଛି । ନାଟୋ ଚୀନକୁ ଋଷ୍ ସମର୍ଥକ ବୋଲି ଅଭିଯୋଗ କରିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ । ତଥାକଥିତ ଚୀନ୍ ଧମକକୁ ଅତ୍ୟଧିକ ବଢ଼ାଇବା ସହ ସଂଘର୍ଷ ଓ ଶତ୍ରୁତାକୁ ଉତ୍ତେଜିତ କରିବା ବନ୍ଦ କରିବାକୁ ୟୁରୋପୀୟ ସଂଘରେ ଥିବା ଚୀନ୍ ଦୂତାବାସ ନାଟୋକୁ ଆହ୍ୱାନ ଦେଇଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ ଆଜି କହିଛନ୍ତି, ନାଟୋ ମିଥ୍ୟା ତଥ୍ୟ ପ୍ରଚାର କରି ନିଜ ଦେଶକୁ ବଦନାମ କରୁଛି ।

ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଦୂରେଇ ରହିବାକୁ ନାଟୋକୁ କହିଛି ଚୀନ୍ । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଚୀନର ପଡ଼ୋଶୀ ଦେଶମାନଙ୍କ ସହ ସାମରିକ ଏବଂ ନିରାପତ୍ତା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନାଟୋର ପ୍ରୟାସ ଦେଶର ସ୍ୱାର୍ଥ ସହିତ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ କ୍ଷୁଣ୍ଣ କରୁଛି । ଚୀନ୍ ଓ ବେଲାରୁସ୍ ମିଳିତ ଭାବେ ସାମରିକ ଅଭ୍ୟାସ କରୁଥିବା ବେଳେ ଏଭଳି ମନ୍ତବ୍ୟ ଦିଆଯାଇଛି । ୨୦୨୨ରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପାଇଁ ବେଲାରୁସ୍ ବ୍ୟବହାର କରିଥିଲେ ।

Get real time updates directly on you device, subscribe now.