fbpx

ଆମେରିକା ଆକାଶରେ ଚୀନ୍‌ର ଗୁପ୍ତଚର ବେଲୁନ୍‌: ତିନୋଟି ବସ୍ ଆକାର ସହିତ ସମାନ: ପେଣ୍ଟାଗନ୍‌

ନୁଆଦିଲ୍ଲୀ: ଆମେରିକା ରକ୍ଷା ମନ୍ତ୍ରଳାୟ ମୁଖ୍ୟାଳୟ ପେଣ୍ଟାଗନ ଦାବି କରିଛି ଯେ, ଏହାର ଏୟାର୍ ବେସ୍ ଉପରେ ଚୀନ୍‌ର ସ୍ପାଏ ବେଲୁନ୍ ଉଡୁଛି । ଏହାର ଆକାର ପ୍ରାୟ ତିନୋଟି ବସ୍ ଆକରର ହେବ ବୋଲି କୁହାଯାଉଛି। ବିଦେଶ ମନ୍ତ୍ରୀ ଆଣ୍ଟଣ୍ଟୋନୀ ବ୍ଲିଙ୍କେନ୍ ଚୀନ୍ ଯାତ୍ରା କରିବାର କିଛି ଦିନ ପୁର୍ବରୁ ଏହି ଘଟଣା ଘଟିଛି। ପେଣ୍ଟାଗନ୍ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ପ୍ୟାଟ୍ ରାଇଡର୍ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ, ଆମେରିକା ସରକାର ଏକ ଗୁପ୍ତଚର ବେଲୁନ୍ ଚିହ୍ନଟ କରିଛନ୍ତି ଏବଂ ଏହାକୁ ଟ୍ରାକିଂ କରୁଛନ୍ତି। ଏହା ଆମେରିକାର ଆକାଶରେ ମଧ୍ୟ ଉଡୁଛି। ନୋରାଡା(ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ) ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ସାମ୍ବାଦିକମାନଙ୍କୁ ଜଣେ ପଦସ୍ଥ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅନୁରୋଧକ୍ରମେ ଉକ୍ତ ବେଲୁନ୍‌ଟିକୁ ଗୁଳିମାରି ଖସାଇ ଦେବା ଲାଗି ପ୍ରତିରକ୍ଷା ସଚିବ ଲିୟଡ୍ ଅଷ୍ଟିନ୍ ଏବଂ ଉଚ୍ଚସ୍ତରୀୟ ସେନା ଅଧିକାରୀମାନେ ବିଚାର କରୁଥିଲେ । କିନ୍ତୁ, ସେମାନେ ସ୍ଥିର କଲେ ଯେ, ସେପରି କରିବାଦ୍ୱାରା ବେଲୁନ୍‌ର ଜଳନ୍ତା ଭଙ୍ଗାରୁଜା ଅଂଶ ପଡ଼ି ଭୂପୃଷ୍ଠରେ ଥିବା ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ । ମୋଣ୍ଟାନା ଆକାଶରେ ଉଡୁଥିବା ବେଳେ ଉକ୍ତ ବେଲୁନ୍‌କୁ ପରୀକ୍ଷା କରିବା ପାଇଁ ଲଢୁଆ ବିମାନ ମଧ୍ୟ ପ୍ରେରଣ କରାଯାଇଥିଲା ।

ଏହି ଘଟଣାର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି ନାମ ଗୋପନ ରଖିବା ସର୍ତ୍ତରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏ ବେଲୁନ୍‌ଟି ପର୍ଯ୍ୟବେକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ବୋଲି ଜଣାପଡୁଛି । ଏବେ ସେ ଯେଉଁ ଅଞ୍ଚଳ ଦେଇ ଉଡ଼ିଯାଉଛି ସେଠାରେ ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ।

କିନ୍ତୁ, ଉକ୍ତ ବେଲୁନ୍ ଏତେଟା ବିପଜ୍ଜନକ ନୁହେଁ ଏବଂ ତା’ର ଗୁପ୍ତତଥ୍ୟ ସଂଗ୍ରହକାରୀ କ୍ଷମତା ସୀମିତ ବୋଲି ପେଣ୍ଟାଗନ୍ କହିଛି । ଦୁଇ ଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକାର ଆକାଶରେ ପ୍ରବେଶ କରିଥିବା ଏହି ବେଲୁନ୍ ଉପରେ ଗୁଇନ୍ଦା ବିଭାଗ ଦୃଷ୍ଟି ରଖିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି ।

Get real time updates directly on you device, subscribe now.