fbpx

ଚିତ୍ତରଞ୍ଜନଙ୍କ ମର୍ଡର ମିଷ୍ଟ୍ରି: ଆଉ ଦୁଇ ଦିନରେ ସରିବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତ ରଞ୍ଜନ ପଲେଇଙ୍କ ହତ୍ୟା ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିପାରି ନାହିଁ । ତେବେ ଆଜି କ୍ରାଇମବ୍ରାଞ୍ଚ ତଦନ୍ତର ୫ମ ଦିନରେ ଚିତ୍ତଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଆଜି କ୍ରାଇମବ୍ରାଞ୍ଚ ସରଜମିନ ତଦନ୍ତ ଶେଷ କରିବ । ଆସନ୍ତା ୨ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଆବଶ୍ୟକ ପଡ଼ିଲେ ଅଟକ ଥିବା ଅନ୍ୟମାନଙ୍କର ମଧ୍ୟ ଟେଷ୍ଟ କରାଯିବ ବୋଲି ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଥିଲେ । ନଦୀପଠାରୁ ଜବତ କରାଯାଇଥିବା ରକ୍ତ ନମୂନା ପରୀକ୍ଷା ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି । କାରଣ ଉକ୍ତ ରକ୍ତ ଚିତ୍ତ, ଜଗନ୍ନାଥ କି ଆଉ କାହାର ସ୍ପଷ୍ଟ ହେବା ପରେ ଏହି ହତ୍ୟାକାଣ୍ଡ ପଛରେ କେତେଜଣ ସାମିଲ ଅଛନ୍ତି ତାହା ସ୍ପଷ୍ଟ ହୋଇଯିବ । ଗତ ୧୫ ତାରିଖରେ ଏହି ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ଅଭୟ । ଗତ ୧୧ ତାରିଖ ଦିନ ରାତି ୯ଟାରେ କିଛି ବ୍ୟକ୍ତି ଚିତ୍ତଙ୍କୁ ଘରୁ ଡାକି ନେବା ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ୧୩ ତାରିଖ ଦିନ ଚିତ୍ତଙ୍କ କ୍ଷତବିକ୍ଷତ ଶବ ପୁରୀର ଗଡ଼ମୃଗଶିରା ନିକଟସ୍ଥ ନୂଆନଈରୁ ପୋଲିସ ଜବତ କରିଥିଲା ।

Get real time updates directly on you device, subscribe now.