fbpx

ବିଜେଡିରୁ ବହିଷ୍କୃତ ହେଲେ ସିଟି କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପଞ୍ଚାୟତଠାରୁ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଆସନ୍ତାବର୍ଷ ମେ ମାସ ୩୦ ତାରିଖରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବାକୁ ଥିବାବେଳେ ଏହା ମଧ୍ୟରେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଶାସକ ବିଜେଡିରୁ ଜଣେ ନେତାଙ୍କୁ ବହିଷ୍କାର କରାଯାଇଛି । କଟକ-ଚୌଦ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀର ସିଟି କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରକାଶଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିବା ଜଣାପଡ଼ିଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଦଳ ବିରୋଧୀ କାରଣରୁ ବିଜେଡି ଅନେକ ନେତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଚଳିତ ମାସ ପହିଲାରେ ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ କାରଣରୁ ବିପିନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଥିଲେ । ସେହିପରି ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ସନ୍ତୋଷ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।

Get real time updates directly on you device, subscribe now.