ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାରେ ଅଭାବନୀୟ ଘଟଣା । ଥାନାରେ ମୁହାଁମୁହିଁ ହେଲେ ପୋଲିସ ଏବଂ ଜନତା । ବଲାଙ୍ଗିର ତୁଷାର ଥାନାରେ ପୋଲିସ ଏବଂ ଜନତା ଧସ୍ତାଧସ୍ତି ସହ ମୁହାମୁହିଁ ହୋଇଥିବା ସୂଚନା ମିଳିଛି । ପୋଲିସକୁ ସାଧାରଣ ଜନତା ଆକ୍ରମଣ କରିଥିବା ବେଳେ ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ପୋଲିସ ମଧ୍ୟ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଦେଖାଯାଇଛି । ପୋଲିସ ଉପରକୁ ଟେକାପଥର ମାଡ ସହିତ ଷ୍ଟେସନ ଭିତରକୁ ବାଡି ମଧ୍ୟ ଫିଙ୍ଗିଥିଲେ ଲୋକେ ।
ସୂଚନା ଅନୁସାରେ, ପୂର୍ବରୁ ଗୋଦାମପୋଡା ଏବଂ ପତିତପାବନପଡା ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରତିବାଦ କରୁଥିଲେ ଗୋଦାମପଡାବାସୀ । ତେବେ ପ୍ରତିବାଦ ସମୟରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ଦେଖାଯାଇଛି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପ୍ରଥମେ ସାଧାରଣ ଜନତା ପୋଲିସ ଉପରକୁ ଆକ୍ରମଣ କରୁଥିବା ଦେଖାଯାଇଥିବା ବେଳେ ପରେ ପୋଲିସ ମଧ୍ୟ ଲୋକଙ୍କୁ ଗୋଡାଉଥିବା ଦେଖାଯାଇଛି । ତେବେ ଅଧିକ ଉତ୍ତେଜନା ଦେଖାଯିବା କାରଣରୁ ଦେଓଗାଁ ଏବଂ ତୁଷାର ପୋଲିସ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।