ସାମାନ୍ୟ ପେନସିଲ ପାଇଁ ସ୍କୁଲରେ ଗଡ଼ିଲା ମୁଣ୍ଡ, ଶିକ୍ଷକ ଓ ଛାତ୍ରଙ୍କୁ ରକ୍ତାକ୍ତ କଲେ ୮ମ ଶ୍ରେଣୀ ଛାତ୍ର

ଝିମିଟି ଖେଳରୁ ମହାଭାରତ । ପେନସିଲ ପାଇଁ ଛୁରୀରେ ଆକ୍ରମଣ କଲା ଛାତ୍ର ।

ଚେନ୍ନାଇ: ତାମିଲନାଡ଼ୁ ପାଲାୟମକୋଟାଇ ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଯାଇଛି ଜଘନ୍ୟ କାଣ୍ଡ । ୮ମ ଶ୍ରେଣୀ ଛାତ୍ର ଛୁରୀରେ ଶିକ୍ଷକ ଓ ସାଙ୍ଗକୁ ଆକ୍ରମଣ କରି ଥାନାରେ କରିଛନ୍ତି ଆତ୍ମସମର୍ପଣ ।

ପେନସିଲ ପାଇଁ ୮ମ ଶ୍ରେଣୀ ଛାତ୍ର ଏ ପରି କାଣ୍ଡ କରିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ସକାଳେ ୧୦ଟାବେଳେ ଘଟିଯାଇଛି ଏହି ଘଟଣା ।

ସୂଚନା ମୁତାବକ ଉକ୍ତ ଛାତ୍ର ଏବଂ ଆହତ ଛାତ୍ରଙ୍କ ମଧ୍ୟରେ ପେନସିଲକୁ ନେଇ ଝଗଡା ହୋଇଥିଲା, ଯାହାର ପ୍ରତିଶୋଧ ନେବା ପାଇଁ ଛାତ୍ର ଜଣକ ଏପରି କରିଥିବା ଜଣାପଡ଼ିଛି ।

ଛାତ୍ରଜଣକ ସ୍କୁଲକୁ ଛୁରୀ ନେଇ ଆସିଥିବାବେଳେ ସ୍କୁଲ ପରିସରରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଶିକ୍ଷୟିତ୍ରୀ ସେମାନଙ୍କୁ ଅଟକାଇଥିବାବେଳେ ଉକ୍ତ ଛାତ୍ର ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଫଳରେ ଘଟଣାରେ ୩ ଜଣଯାକ ଆହତ ହୋଇଥିଲେ । ଏହାପରେ ଆକ୍ରମଣ କରିଥିବା ଛାତ୍ର ଜଣକ ନିକଟସ୍ଥ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ । ଘଟଣାର ସୂଚନା ପାଇ ପୋଲିସ ସେମାନଙ୍କୁ ଡାକ୍ତରଖାନା ପଠାଇ ଥିଲା ।

ପ୍ରାଥମିକ ତଦନ୍ତ ଅନୁସାରେ, ୨ମାସ ତଳେ ପେନସିଲକୁ ନେଇ ହୋଇଥିବା ଝଗଡ଼ାର ପ୍ରତିଶୋଧ ନେବା ପାଇଁ ଛାତ୍ର ଜଣକ ଏପରି କରିଥିବା ଜଣାପଡ଼ିଛି ।