ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଙ୍କ ସହ କିରାଣି ଗିରଫ

ବରଗଡ଼: ପ୍ରଶ୍ନପତ୍ର ଲିକ୍ ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୦ ଜଣ ଛାତ୍ର ଥିବାବେଳେ ଜଣେ କିରାଣି ଓ ଜଣେ କମ୍ପ୍ୟୁଟର ଦୋକାନୀ ଅଛନ୍ତି ।

ତେବେ କିରାଣି ଜଣଙ୍କ ନାଟକିଦେଉଳ ମହାବିଦ୍ୟାଳୟର ବୋଲି ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଗତ ୨୯ ତାରିଖରେ ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ସେମିଷ୍ଟର ଚାଲଥିବା ସମୟରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିଥିଲା ।

ସ୍କ୍ୱାଡ୍ ଟିମ୍ ଯାଞ୍ଚ୍ କରୁଥିବା ସମୟରେ କିଛି ଛାତ୍ରଙ୍କ ପାଖରୁ ସମାନ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ଦେଖିବାକୁ ପାଇଥିଲେ । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାସଙ୍କୁ ଖବର ଦିଆଯିବା ପରେ ସେ ହଲକୁ ଆସି ତଦାରଖ କରିଥିଲେ ।

ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣି ସେ ତୁରନ୍ତ ବରପାଲି ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ଅଧିକ ଛାନଭିନ୍ କରିଥିଲା ।