ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଧର୍ମଶାଳାରେ ଓ ଜମ୍ମୁ-କଶ୍ମୀରରେ ଗାନ୍ଦରବଲ୍ ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଘରେ ପାଣି ପଶିବା ସହିତ ଯାନବାହନ ଭାସୁଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ସଡ଼କ ଉପରେ ପାଣି ଚାଳୁଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସାମନାକୁ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମୁଷଳଧାରାରେ ବର୍ଷା ଲାଗି ରହିଛି ।
ହିମାଚଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଧର୍ମଶାଳାରେ ମଧ୍ୟ ବାଦଲ ଫଟା ବର୍ଷା ହେଉଥିବାରୁ ଅନେକ କ୍ଷୟକ୍ଷତି ଘଟିଛି । ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଅନେକ ପର୍ଯ୍ୟଟକଙ୍କ ଗାଡ଼ି ବନ୍ୟାଜଳରେ ଭାସିଯାଇଛି । ଅନ୍ୟପଟେ ପାଣିପାଗ ବିଭାଗ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛନ୍ତି । ଏଥିରେ ମହାରାଷ୍ଟ୍ରର ତଟବର୍ତ୍ତୀ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସହରରେ ଲୋକମାନଙ୍କ ପାଇଁ ହାଇଆଲର୍ଟ ଜାରି କରାଯାଇଛି ।