fbpx

କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ମୁକାବିଲା ପାଇଁ ମିଳିବ୧୫କୋଟି ଲେଖାଏଁ

ଭୁବନେଶ୍ୱର, ୨୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ଆଜି ମଧ୍ୟ ଦୁଇ ଜିଲ୍ଲା କଟକ ଓ ଖୋର୍ଦ୍ଧା ର ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ କଟକ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି କଟକ ସ୍ଥିତ ଏସସିବି ମେଡ଼ିକାଲରେ ହେବ କୋଭିଡ଼ ପରିଚାଳନା ଓ ତାଲିମ କେନ୍ଦ୍ର । ରାଜ୍ୟରେ କୋଭିଡ଼ ସେବା ସହ ସଂପୃକ୍ତ କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏଠାରେ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀ ତାଲିମ ନେବେ ବୋଲି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀ ପ୍ରତାପ ଜେନା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସ୍ଥିତି ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ । କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ । ଗତକାଲି ଗଞ୍ଜାମ ଜିଲ୍ଲାପାଇଁ ୨୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହାସହ ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି ପାଇଛି । ଅବସର ବୟସ ସୀମା ୬୨ରୁ ୬୫କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମ ଓ ଇଏସଆଇ ବୀମା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ କରାଯିବ ।

Get real time updates directly on you device, subscribe now.