ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖ (ସୋମବାର) ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଏହି ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ଅକ୍ଟୋବର ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, କେବଳ ସେମାନଙ୍କ ପାଇଁ ହିଁ ଏହି ଶୁଣାଣି ଉଦ୍ଦିଷ୍ଟ । ସେହି ବ୍ୟକ୍ତିମାନେ ପୁଣି ଥରେ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । ଅକ୍ଟୋବର ୨୮ ତାରିଖ ପାଇଁ ପର୍ବରୁ ପଞ୍ଜିକରଣ କରିଥିବା ଆବେଦନକାରୀମାନେ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ, ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ନଭେମ୍ବର ୧୮ ଓ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ତା’ ପୂର୍ବରୁ ନଭେମ୍ବର ୪ ଓ ୧୧ରେ ମଧ୍ୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ବାତ୍ୟା ‘ଦାନା’ କାରଣରୁ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିବା ବେଳେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୟୁନିଟ-୫ ସ୍ଥିତ ସରକାରୀ ବାସଭବନରେ ନିୟମିତ ଭାବେ ଜନ ଶୁଣାଣି କରୁଛନ୍ତି ।