ନୂଆଦିଲ୍ଲୀ: ଦିନ ଗଡ଼ିବା ସହ ଦରଦାମ ମଧ୍ୟ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ତ୍ରିପୁରା ସରକାର ନିଜ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ଼ ଖୁସିଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA / DR କୁ ବଢ଼ାଇଦେଇଛନ୍ତି । ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ଶାହା ସମସ୍ତ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ DA / DR କୁ ୧୨% ବୃଦ୍ଧି କରିଛନ୍ତି ।
ଏହା ସହିତ ରାଜ୍ୟ କର୍ମଚାରୀଙ୍କ ବେତନରେ ଡିଏର ଅଂଶ ୨୦% କୁ ବୃଦ୍ଧି ପାଇଛି। ୨୦୨୨ ଡିସେମ୍ବରରୁ ବର୍ଦ୍ଧିତ DA ଲାଗୁ ହେବ । ଏହିପରି ବର୍ଦ୍ଧିତ ଡିଏ ନୂଆ ବର୍ଷରେ ପ୍ରାପ୍ତ ବେତନରେ ଅନ୍ତର୍ଭୂକ୍ତ ହେବ। ଶାହାଙ୍କ ଅନୁଯାୟୀ ଏହି ଘୋଷଣା ୧ ଲକ୍ଷରୁ ଅଧିକ ନିୟମିତ କର୍ମଚାରୀଙ୍କୁ ଉପକୃତ କରିବ। ଏହା ବ୍ୟତୀତ ୮୦,୮୦୦ ପେନସନଭୋଗୀ ମଧ୍ୟ ଏହି ରିଲିଫର ଲାଭ ପାଇବେ।
ମେଘାଳୟରେ ମଧ୍ୟ DA ୪% ବୃଦ୍ଧି ପାଇଛି
ମେଘାଳୟ ସରକାର ରାଜ୍ୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ୪% ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସରକାର ଦେଇଥିବା ସୂଚନା ଅନୁଯାୟୀ, ମହଙ୍ଗା ଭତ୍ତା ବୃଦ୍ଧି ୨୦୨୨ ଜୁଲାଇରୁ କାର୍ଯ୍ୟକାରୀ ହେବ। ୨୦୨୨ ଜୁଲାଇରୁ ମେଘାଳୟର କର୍ମଚାରୀଙ୍କ ଡିଏ ୨୮ ପ୍ରତିଶତରୁ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୯ରେ, ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ବର୍ତ୍ତମାନ ୩୮ ପ୍ରତିଶତ ହାରରେ ଡିଏ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୨ ଲକ୍ଷ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କରିଛି।