ଭୁବନେଶ୍ୱର- ଜନଜାତୀୟ ଗୌରବ ଦିବସରେ ଆଦିବାସୀ ଓ ଅବହେଳିତ ପିଲାଙ୍କ ପାଇଁ ସ୍ଥାପିତ ଆଦର୍ଶ ବିଦ୍ୟାଳୟର ଅନିୟମିତତାକୁ ନେଇ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଷ୍ଟେଲରେ ପିଲା ଲୁଣ ସହ ଭାତ ଖାଇବାକୁ ବାଧ୍ୟ ହେଉଥିଲେ । ସେମାନଙ୍କୁ ସ୍ୱତନ୍ତ୍ରତା ଦିଆଯାଉନଥିଲା । ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କୌଣସି ଠୋସ ପଦକ୍ଷେପ ନିଆଯାଉ ନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଜନଜାତୀୟ ଗୌରବ ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସରକାର କହୁଥିଲେ ଆଦିବାସୀଙ୍କ ସାଙ୍ଗରେ ଅଛୁ, ହେଲେ ଆଦିବାସୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟରେ ସମ୍ପୂର୍ଣ୍ଣ ଅବହେଳା କରିଥିଲେ । ହଷ୍ଟଲଗୁଡିକରେ ଛାତ୍ରଛାତ୍ରୀ ଖାଇବାକୁ ପାଉନଥିଲେ ପୁଷ୍ଟିକର ଖାଦ୍ୟ । ସେମାନଙ୍କୁ ଉଚିତ ଶିକ୍ଷା ଦିଆଯାଉନଥିଲା । ତେବେ ସରକାର ବଦଳିଛି । ବିଜେପି ସରକାର ଏହା ଉପରେ କାମ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୋହନ କହିଛନ୍ତି, ୧୬ ଆଶ୍ରମ ହାଇସ୍କୁଲଗୁଡିକର ଅପଗ୍ରେଡ଼ ପାଇଁ ୨୪୦ କୋଟି ଖର୍ଚ୍ଚ କରିବେ ସରକାର । ୧୩ ଟି ହାଇସ୍କୁଲକୁ ଅପଗ୍ରେଡ଼ କରି ଯୁକ୍ତ ୨ କରିବା ପାଈଁ ୨୨ କୋଟି ଲେଖାଏଁ ଦିଆଯିବ । ୪୨୬ ଆବାସିକ ସ୍କୁଲ ପାଈଁ ୮୫୨ କୋଟି ଖର୍ଚ୍ଚ ହେବ । ଏହା ବ୍ୟତୀତ ପଂଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି , ୨୭ ଟି ଜିଲ୍ଲାର ୨୩୪ ବ୍ଲକ ୭୬୬୭ ଗ୍ରାମରେ ଗ୍ରାମସଭା ହେବ । ପେଶା ଆଇନ କାର୍ୟ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଜନଜାତି ଦିବସରେ ଅନେକ ପ୍ରକଳ୍ପ ଶିଳାନ୍ୟାସ ହୋଇଛି । ଜନଜାତି ଐତିହ୍ୟ ଓ ସୁରକ୍ଷା ପାଇଁ ଜନଜାତି ଐତିହ୍ୟ ଏବଂ ସ୍ୱାଭିମାନ ଭବନ ୧୦୦ କୋଟିରେ ନିର୍ମାଣ ହେବ । ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ପାଇଁ ୫୦ କୋଟି ବିନିଯୋଗ ହେବ । ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଛି।
ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ଜନଜାତିୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ୨୬ ତାରିଖ ପର୍ୟ୍ୟନ୍ତ ପ୍ରତି ଗାଁ ରେ ଜନସଭା ହେବ। ପେସା ଆଇନ କିପରି କାର୍ୟ୍ୟକାରୀ ହେବ ସେ ନେଇ ବିସ୍ତୁତ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।