fbpx

ଗାୟତ୍ରୀବାଳାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ପରେ ନବୀନଙ୍କ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଓଡ଼ିଆ କବୟତ୍ରୀ ଡଃ ଗାୟତ୍ରୀବାଳା ପଣ୍ଡା । ମୋଟ ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଗାୟତ୍ରୀବାଳା ଓଡ଼ିଆ ବିଭାଗ ଲାଗି ପୁରସ୍କାର ପାଇବେ । ତାଙ୍କର କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସେ ଏହି କୃତିତ୍ୱ ହାସଲ କରିଥିବା ବେଳେ ପୁରସ୍କାର ବାବଦରେ ତାଙ୍କୁ ୧ ଲକ୍ଷ ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯିବ ।

ତେବେ ଡଃ ଗାୟତ୍ରୀବାଳାଙ୍କ ଏହି ଉଚ୍ଚକୋଟୀର ସଫଳତାରେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାୟତ୍ରୀବାଳାଙ୍କ ଏହି ସଫଳତା ତାଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ହେବା ସହ ଏହା ରାଜ୍ୟ ପାଇଁ ଗର୍ବ ଆଣିବ । ୨୦୨୨ ବର୍ଷ ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଏହି ସାହିତ୍ୟିକାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ଖୁସିର ମୁହୂର୍ତ୍ତରେ ଡଃ ପଣ୍ଡାଙ୍କ ସ୍ୱାମୀ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ପୁତ୍ର ମନିତ ମଙ୍ଗରାଜ ଉପସ୍ଥିତ ଥିଲେ ।

ଡଃ ପଣ୍ଡାଙ୍କ କବିତା ସଂକଳନ ‘ଦୟାନଦୀ’ ଗତ ୨୦୧୭ରେ ପକ୍ଷୀଘର ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ସଂକଳନ କଳିଙ୍ଗ ଯୁଦ୍ଧ ଉପରେ ପର୍ଯ୍ୟବେସିତ ରହିଥିବା ବେଳେ ସେଥିରେ ମୋଟ ୬୪ଟି କବିତା ସ୍ଥାନ ପାଇଛି । ତା’ ପୂର୍ବରୁ ୨୦୧୧ରେ ତାଙ୍କର କବିତା ସଂକଳନ ‘ଗାଁ’ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲା । ଗାୟତ୍ରୀବାଳା ୩୦ ବର୍ଷରୁ ଅଧିକ ସମୟ ଧରି କବିତା, ଗପ, ପ୍ରବନ୍ଧ, ଉପନ୍ୟାସ ରଚନା କରି ପାଠକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

Get real time updates directly on you device, subscribe now.