fbpx

ମା’ଙ୍କଠାରୁ ନେଲେ ଆଶିର୍ବାଦ, ଗୁରୁଙ୍କୁ ଦେଲେ ଦକ୍ଷିଣା: ୨୮ ବର୍ଷ ପରେ ସିଏମ୍ ଯୋଗୀ ନିଜର ପୈତୃକ ଘରେ ରାତି ବିତାଇଲେ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏବେ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ଯୋଗୀ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ନିଜର ପୈତୃକ ଗାଁରେ ରାତି ବିତାଇଛନ୍ତି । ଏହି ଅବସରରେ ଯୋଗୀ ତାଙ୍କର ଜନ୍ମଦାତ୍ରୀ ମା’ଙ୍କର ପାଦ ଛୁଇଁ ପ୍ରଣାମ କରିବା ସହ ଗୁରୁଙ୍କୁ ଦକ୍ଷିଣା ଦେବାକୁ ଭୁଲି ନାହାନ୍ତି ।

ଯୋଗୀ ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତ ଅବସରରେ ପ୍ରଥମ ଦିନରେ ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ୱର ଗୁରୁ ଗୋରେଖନାଥ ମହାବିଦ୍ୟାଳୟରେ ନିଜର ଗୁରୁ ମହନ୍ତ ଅବୈଧ୍ୟନାଥଙ୍କ ମୂର୍ତ୍ତି ଅନାବରଣ କରିଥିଲେ । ଏହି ଅବସରରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ନିଜର ସ୍କୁଲର ଅଧ୍ୟାପକଙ୍କୁ ସମ୍ମାନିତ କରିଥିଲେ । ଯୋଗୀ କହିଥିଲେ ଯେ, ମୁଁ ପୌଡ଼ିର ପଞ୍ଚୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲି ଓ ଯମକେଶ୍ୱର ନିକଟସ୍ଥ ଚମୋଟଖାଲ ସ୍ଥିତ ଏକ ସ୍କୁଲରୁ ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲି । ଆଜି ବି ମୋର ସ୍କୁଲ ଶିକ୍ଷକମାନଙ୍କ କଥା ମନେ ପଡ଼ୁଛି, ମାତ୍ର ଦୁଃଖର କଥା ମୋର ଅନେକ ଗୁରୁ ଆଜି ଏ ଦୁନିଆ ତ୍ୟାଗ କରି ସାରିଛନ୍ତି ।

ଯମକେଶ୍ୱରରେ ମଞ୍ଚ ଉପରେ ଆୟୋଜିତ ସମ୍ମାନ ସମାରୋହରେ ଯୋଗୀ ନିଜର ସ୍କୁଲ ଶିକ୍ଷକଙ୍କୁ ଶାଲ, ମିଠାଇ, ଗୁପ୍ତ ଦାନ ଆଦି ପ୍ରଦାନ କରିଥିଲେ । ଏହି ଅବସରରେ ଯୋଗୀ ନିଜର ଗୁରୁ ଅବୈଧ୍ୟନାଥଙ୍କୁ ମନେ ପକାଇ ଭାବୁକ ହେବା ସହ କାନ୍ଦିବାରେ ଲାଗିଥିଲେ । ଏହି କାର୍ଯ୍ୟକ୍ରମ ପରେ ଯୋଗୀ ନିଜର ପୈତୃକ ଗାଁ ପଞ୍ଚୁର ଗସ୍ତ କରିଥିଲେ । ୨୮ ବର୍ଷ ପରେ ପୁଅକୁ ଘରେ ଦେଖି ଯୋଗୀଙ୍କ ମା’ ନିଜ ଖୁସିକୁ ସମ୍ବରଣ କରି ପାରିନଥିଲେ । ସେ ଯୋଗୀଙ୍କର ମଥା ଉପରେ ହାତ ରଖି ଆଶିର୍ବାଦ ଦେଇଥିଲେ । ୮ ବର୍ଷ ପରେ ନିଜର ପୈତୃକ ଗ୍ରାମ ଓ ୨୮ ବର୍ଷ ପରେ ନିଜ ଘରେ ରାତି ବିତାଇଥିଲେ ଯୋଗୀ । କରୋନା ସମୟରେ ଯୋଗୀଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା, ମାତ୍ର ଯୋଗୀ ପିତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରି ନଥିଲେ ।

Get real time updates directly on you device, subscribe now.