fbpx

କୋଇଲା ଚୋରା ଚାଲାଣ ମାମଲା: ତ୍ରିଶକ୍ତି ସିପିଙ୍ଗର ପରିଚାଳକ ଗିରଫ

ପାରାଦୀପ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ପାରାଦୀପ କୋଇଲା ଚୋରା ଚାଲାଣ ମାମଲାରେ ପାରାଦୀପ ପୋଲିସ୍‌ ତ୍ରିଶକ୍ତି ସିପିଙ୍ଗ ପ୍ରାଇଭେଟ୍‌ ଲିମିଟେଡ୍‌ର ସ୍ଥାନୀୟ ପରିଚାଳକ ତଥା ନିକଟସ୍ଥ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ଗ୍ରାମ ତଥା ପାରାଦୀପ ଗଡ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ରହୁଥିବା ରମାକାନ୍ତ ମହାପାତ୍ରଙ୍କୁ ସୋମବାର କୋର୍ଟ ଚାଲଣ କରିଥିବା ପାରାଦୀପ ଆଦର୍ଶ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରି ସୂଚନା ଦେଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ପାରାଦୀପ ବନ୍ଦର ମଧ୍ୟରୁ ୧୫ଗୋଟି ଟ୍ରକ୍‌ କୋଇଲା ବୋଝେଇ ଓ ବୋଝେଇ ଅପେକ୍ଷାରେ ଥିବା ୭ଗୋଟି ଟ୍ରକ୍‌କୁ ସନ୍ଦେହଜନକ ଭାବେ କାଗଜପତ୍ର ଯାଂଚ କରିଥିଲା ପାରାଦୀପ ବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ । କାଗଜପତ୍ର ତନଖି କରିବା ପରେ ଜାଲିଆତି ଥିବା ସନ୍ଦେହ ହେବା ପରେ ସିଆଇଏସଏଫ ପାରାଦୀପ ଆଦର୍ଶ ଥାନାରେ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ତତ୍‌କାଳୀନ ପାରାଦୀପ ଆଦର୍ଶ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏ ସମ୍ପର୍କରେ ପାରଦୀପ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଝାଡଖଣ୍ଡ ରାଜ୍ୟର ଅତୀବିର ସଂସ୍ଥାର ମିଲ ହୋଇଥିବା ବେଳେ ଅଦ୍ୟାବଧି ଅତୀବିରର ଅଧିକାରୀ ଥାନାକୁ ନ ଆସିବା କୋଇଲା ଚୋରା ଚାଲଣ ଘଟଣାକୁ ସଂପୂର୍ଣ୍ଣ ଭାବେ ରହସ୍ୟ ଭିତରକୁ ଟାଣି ନେଇଛି । ଅପରପକ୍ଷରେ ପାରାଦୀପ ପୋଲିସ୍‌ ପ୍ରାରମ୍ଭିକ ଭାବେ ଇନ୍‌ ମେସିନାରୀନିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୭ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଇନ୍‌ ମେସିନାରୀନିଜ୍‌ର ମୁଖ୍ୟ ପାରାଦୀପ ଥାନାକୁ ଆସି ନିଜ ପକ୍ଷ ରହୁ ନାହାନ୍ତି କି ଅତିବୀର ସଂସ୍ଥାର ମୁଖ୍ୟ ବି ପୋଲିସ୍‌ର ତଦନ୍ତ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି ଯାହାକି କୋଇଲା ଚୋରା ଚାଲଣରେ ସେମାନଙ୍କର ସମ୍ପୃକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହି ଘଟଣା ପଛରେ ଆଉ କାହାର ହାତ ରହିଛି କି ନା ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.