ଆହୁରି ବଢ଼ିବ ଶୀତ…୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ, ସତର୍କ କଲା ପାଣିପାଗ ବିଭାଗ

ଏକାଧିକ ଜିଲ୍ଲାରେ ଘୋଟିଯିବ ଅନ୍ଧାର । ଶୀତ ଯୋଗୁ ପ୍ରଭାବିତ ହେବ ଯନଜୀବନ ।

ଓଡ଼ିଶା ଭାସ୍କର: ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବୁଧବାର ରାଜ୍ୟର କିଛି ସ୍ଥାନରେ ଅଧିକ କୁହୁଡ଼ି ଦେଖାଯାଇଛି । ଆଜି କଳାହାଣ୍ଡି, କନ୍ଧମାଳ ଏବଂ ଭଦ୍ରକରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି ।

ସେହିପରି ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଛି ।

ଆସନ୍ତା କାଲି ଝାରସୁଗଉଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ପୁରୀ ଗଞ୍ଜାମ ଓ ଗଜପତିରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୋମବାର ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍ ଥିଲା । ଫୁଲବାଣୀରେ ୧୧.୫, ରାଉରକେଲାରେ ୧୧.୭. ଭଦ୍ରାକରେ ୧୨, ସୁନ୍ଦରଗଡ଼ରେ ୧୩.୨ ଏବଂ ଅନୁଗୁଳରେ ୧୩ ଡିଗ୍ରୀ ସେଲସିୟସ ଥିଲା ।