fbpx

ରାଜଧାନୀରେ ବୁଲିବ ଡ୍ରୋନ: ସାବାଡ଼ ହେବେ ଅପରାଧୀ, କମିଶନରେଟ ପୋଲିସ ଆରମ୍ଭ କଲା ନୂଆ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟ୍ୱିଟସିଟିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଅପରାଧଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଏକାଧିକ ନିୟମ କାର୍ଯ୍ୟକାରୀ ହୋଇଥିଲା । ତେବେ ଏହା ମଧ୍ୟରେ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ।

ସୂଚନା ମୁତାବକ, ଏଣିକି ଅପରାଧୀଙ୍କ ଉପରେ ଡ୍ରୋନ କ୍ୟାମେରା ମାଧ୍ୟମରେ ନଜର ଖରାଯିବ । ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକଙ୍କୁ ଜଗିବ ଡ୍ରୋନ । ସେଥିପାଇଁ ରାଜଧାନୀରେ ଆରମ୍ଭ ହୋଇଛି ଡ୍ରୋନ ପାଟ୍ରୋଲିଂ । ଏଥିପାଇଁ ଏସପିଜି ପକ୍ଷରୁ ଭୁବନେଶ୍ୱର ୟୁପିଡିକୁ ଏକ ହାଇ ପରଫର୍ମିଂ ଡ୍ରୋନ ପ୍ରଦାନ କରାଯାଇଛି । ତେବେ ଭୂମିଠାରୁ ୫୦୦ ମିଟର ଉଚ୍ଚତା ପୂର୍ଯ୍ୟନ୍ତ ଏହି ଡ୍ରୋନ ଉଠିପାରିବ । ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଏହା ୫ କିମି ବ୍ୟାସ ବିଶିଷ୍ଟ ଅଞ୍ଚଳକୁ କଭର କରିପାରିବେ ।

ଏହି ଡ୍ରୋନ ସହାୟତାରେ ଭିଭିଆଇପି କାର୍ଯ୍ୟକ୍ରମ, ଜନଗହଳି, ଫୁଟବଲ ଓ ହକି ପରି କ୍ରୀଡ଼ା ଇଭେଣ୍ଟ ଉପରେ ନଜର ରଖାଯାଇ ପାରିବ । ଏହି ଡ୍ରୋନରେ ନାଇଟ୍ ଭିଜନ କ୍ୟାମେରା ରହିଥିବା ବେଳେ ଏହା ହାଇ ରିଜୋଲେସନ କ୍ୟାମେରାରେ ଚିତ୍ର ଉତ୍ତୋଳନ କରିପାରିବ । ଏଥିସହିତ ଏହି ଡ୍ରୋନକୁ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉପଯୋଗ କରାଯାଇ ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.