fbpx

କମନୱେଲଥ ଗେମ୍ସ ୨୦୨୨: ସନ୍ତରଣରେ ଇତିହାସ ସୃଷ୍ଟି କରିବାକୁ ଶ୍ରୀହରି ନଟରାଜନ୍ ପ୍ରସ୍ତୁତ, ମିରାବାଇ ଚାନୁଙ୍କଠାରୁ ସ୍ବର୍ଣ୍ଣ ଆଶା

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ ଗତକାଲି ମହା ସମାରୋହରେ ଉଦଘାଟିତ ହୋଇ ଯାଇଥିବା ବେଳେ ପ୍ରଥମ ଦିବସରେ ଅନୁଷ୍ଠିତ ଏକାଧିକ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ବିଜୟ ଲାଭ କରିଛନ୍ତି। ମହିଳା ୪୯ କିଲୋଗ୍ରାମ ଭାରୋତ୍ତୋଳନରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମିରବାଇ ଚାନୁ ଏଠାରେ ପଦକ ଜିତିବେ ବୋଲି ଆଶା କରାଯାଉଛି। ପୁରୁଷ ସନ୍ତରଣ ୧୦୦ ମିଟର ବ୍ୟାକଷ୍ଟ୍ରୋକ (ହିଟ ୪)ରେ ଭାରତର ଶ୍ରୀହରି ନଟରାଜ ୫୪.୬୮ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ସହିତ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରି ପାରିଛନ୍ତି। ଭାରତୀୟ ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରାଙ୍କ ସଫଳତା ବଳରେ ଭାରତ ଏହି ଇଭେଣ୍ଟର ପ୍ରଥମ ରାଉଣ୍ଡ ଗ୍ରୁପ ୨ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି।

ଗତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅପୂର୍ବ ସଫଳତା ପାଇଁ ଗୋଲଡେନ ଗାର୍ଲ ଆଖ୍ୟା ପାଇ ଥିବା ମନିକା ବାତ୍ରା ପ୍ରଥମ ସିଙ୍ଗଲ୍ସରେ ଦକ୍ଷିଣ ଆଫ୍ରିକାର ମୁସିଫିକ କଲମଙ୍କୁ ୧୧-୫, ୧୧- ୩, ୧୧-୨ରେ ଓ ଦ୍ୱିତୀୟ ସିଙ୍ଗଲ୍ସରେ ଭାରତର ଶ୍ରୀଜା ଆକୁଲା ୧୧-୫,୧୧-୩,୧୧-୬ରେ ଦକ୍ଷିଣ ଆଫ୍ରିକାର ଦାନିଶା ପାଟଲଙ୍କୁ ହରାଇ ଥିବା ବେଳେ ମହିଳା ଡବଲ୍ସ ମ୍ୟାଚରେ ଭାରତୀୟ ଯୋଡି ଦକ୍ଷିଣ ଆଫ୍ରିକୀୟ ଯୋଡି ଲଇଲା ଏଡୱାର୍ଡ /ଦାନିଶା ପଟେଲଙ୍କୁ ୧୧-୭, ୧୧- ୭ ,୧୧-୫ରେ ପରାସ୍ତ କରିଥିଲେ। ସେହିପରି ଭାରତ ଟେବୁଲ ଟେନିସର ଦ୍ୱିତୀୟ ମ୍ୟାଚରେ ଫିଜିକୁ ୩-୦ରେ ହରାଇଛି ଭାରତ। ଭାରତୀୟ ବକ୍ସର ଶିବ ଥାପ୍ପା ଲାଇଟୱେଲଟରୱେଟ ୬୩.୫ କେଜି କ୍ୟାଟେଗୋରୀ ପ୍ରଥମ ରାଉଣ୍ଡ ଲଢ଼େଇରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ୫-୦ରେ ପରାସ୍ତ କରି ପ୍ରାକ୍ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ।

ସେହିପରି ପୁରୁଷ ଟେବୁଲ ଟେନିସ ସିଙ୍ଗଲ୍ସରେ ସଥୀୟାନ ଜ୍ଞାନଶେକରନ ୧୧- ୪,୧୧-୪,୧୧-୫ରେ ଟାଇରେସେ ନାଇଟଙ୍କୁ ଓ ଅଚନ୍ତା ଶରଥ କମଲ ରମୋନ ମ୍ୟାକ୍ସୱେଲଙ୍କୁ ୧୧-୫, ୧୧-୩ ୧୧-୩ରେ ହରାଇ ଥିବା ବେଳେ ଭାରତୀୟ ଡବଲ୍ସ ଯୋଡି ହରମିତ ଦେଶାଇ/ ସଥୀୟାନ ଜ୍ଞାନଶେକରନ ପ୍ରତିପକ୍ଷ ଯୋଡି କେଭିନ ଫାରଲେ/ ଟାଇରେସେ ନାଇଟଙ୍କୁ ୧୧- ୯,୧୧-୯, ୧୧-୪ରେ ଚକମା ଦେବା ଫଳରେ ଭାରତ ୩-୦ରେ ବାରବାଡୋସକୁ ପରାସ୍ତ କରିଛି । ତେବେ ପୁରୁଷ ସାଇକେଲ ଚାଳନା ଇଭେଣ୍ଟର ଇଣ୍ଡିଭିଜୁଆଲ (ସ୍ପ୍ରିଣ୍ଟ ଡିଷ୍ଟାନ୍ସ)ଫାଇନାଲରେ ଭାରତର ଆଦର୍ଶ ନାଏର ୧:୦୦:୩୮ ସେକେଣ୍ଡରେ ଓ ଭାରତର ଅନ୍ୟତମ ପ୍ରତିଯୋଗୀ ବିଶ୍ୱନାଥନ ଯାଦବ ୧:୦୨:୫୨ ସେକେଣ୍ଡରେ ଅତିକ୍ରମ କରି ଯଥାକ୍ରମେ ୩୦ ଓ ୩୩ତମ ସ୍ଥାନ ପାଇବା ସହିତ ପଦକ ହାସଲ ଦୌଡାୁ ବାଦ ପଡିଛନ୍ତି ।

ସେହିପରି ମହିଳା ଟିମ ସ୍ପ୍ରିଣ୍ଟ କ୍ୱାଲିଫାଇଂ ଇଭେଣ୍ଟରେ ଭାରତ ୫୧.୪୩୩ ସେକେଣ୍ଡ ସମୟରେ ଅତିକ୍ରମ କରି ସପ୍ତମ ହୋଇ ଥିବା ବେଳେ ପଦକ ଦୌଡରୁ ମଧ୍ୟ ଆଉଟ ହୋଇ ଯାଇଛନ୍ତି । ଏହା ବ୍ୟତିତ ସାଇକେଲିଂ ପୁରୁଷ ଟିମ ସ୍ପ୍ରିଣ୍ଟ ଇଭେଣ୍ଟର କ୍ୱାଲିଫାଇଂ ରାଉଣ୍ଡରେ ଭାରତୀୟ ଟିମ ୪୪,୭୦୨ ସେକେଣ୍ଡ ସମୟରେ ଅତିକ୍ରମ କରି ପଦକ ରାଉଣ୍ଡରୁ ବାଦ ହୋଇ ଯାଇଛନ୍ତି । ଏହା ବ୍ୟତିତ ଲନବୋଲ୍ସ ମହିଳା ସିଙ୍ଗଲ୍ସର ସେକ୍ସନ ବି ରାଉଣ୍ଡ ୨ରେ ଭାରତର ତାନିଆ ଚୌଧୁରୀ ଫକଲାଣ୍ଡ ଆଇଲାଣ୍ଡର ଡାଫିନେ ଆର୍ଥରଆଲମୋଣ୍ଡଙ୍କ ଠାରୁ ୨୦- ୨୧ରେ ହାରି ଯାଇଛନ୍ତି ।

Get real time updates directly on you device, subscribe now.