ବଲାଙ୍ଗିର: ଝିଅର ପ୍ରେମ ବିବାହ ପରିବାର ପାଇଁ ସାଜିଲା କାଳ । ଶବ ଛୁଇଁଲେନି ସମାଜ ଲୋକେ ।
ଏପଟେ ସ୍ୱାମୀକୁ ହରାଇବା ଦୁଃଖରେ ସ୍ତ୍ରୀର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଭୂତିଆର ବାହାଲ ଗାଁରେ ।
ଝିଅର ପ୍ରେମ ବିବାହ: ଭୂତିଆର ବାହାଲ ଗାଁର ମୃତ ବୁଡୁ ପରାଭୂଏ ଙ୍କ ଝିଅ ଗତ ୩ ବର୍ଷ ତଳେ ପ୍ରେମ କରି ଅନ୍ୟ ଜାତିରେ ବିବାହ କରିଥିଲେ ।
ଉଭୟଙ୍କ ଭିତରେ ଜାତିଗତ ପାର୍ଥକ୍ୟ ଥିବାରୁ ଉଭୟ ଜାତି ଓ ସମାଜକୁ ଅଣଦେଖା କରି ବିବାହ କରିଥିଲେ ।
ଝିଅର ପ୍ରେମ ବିବାହକୁ ନେଇ ପରିବାରରେ ଦେଖାଦେଇଥିଲା ଜାତି ଓ ସମାଜର ଭୟ ।
ଏହି ଘଟଣାପରେ ଉଭୟଙ୍କ ପରିବାର ସେମାନଙ୍କ ସହ ସମ୍ପର୍କ ବିଛିନ୍ନ କରିଦେଇଥିଲେ ।
ମାଂସ ଭୋଜି: ସମାଜର ଲୋକେ ଏକ ମିଟିଂଙ୍ଗ କରି ବୁଡୁଙ୍କ ପରିବାର ଲୋକଙ୍କୁ ସମାଜରେ ମିଶାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।
ବୁଡୁ ସମାଜକୁ ୨୦ ହଜାର ଟଙ୍କା ଦେବା ସହ ମାଂସ ଭୋଜି ଦେଇ ସମାଜରେ ମିସିଥିଲେ ।
ପୁଣି ଜାତିରୁ ବାସନ୍ଦ: କିଛି ଦିନ ପରେ ବୁଡୁଙ୍କ ଦେହ ଅସୁସ୍ଥ ହେବାରୁ ଝିଅ ବବି ଘରକୁ ଆସି ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।
ସେଥିପାଇଁ ବୁଡୁଙ୍କ ପରିବାରଙ୍କୁ ପୁଣି ଥରେ ଯାତିରୁ ବାସନ୍ଦ କରିଥିଲେ ସମାଜ ଲୋକେ ।
ବୁଡ଼ୁଙ୍କ ମୃତ୍ୟୁ ପରେ ମଧ୍ୟ ଆସିଲେ ନାହିଁ ସମାଜ ଲୋକେ । ଦୀର୍ଘ ୭ ଘଣ୍ଟା ଧରି ଗାଁ ଦାଣ୍ଡରେ ମୃତଦେହ ପଡ଼ିରହିଥିଲା । ବୁଡୁଙ୍କ ଏକ ମାତ୍ର ପୁଅ ଓ ମା ମୁଣ୍ଡରେ ଚଡ଼କ ପଡ଼ିଥିଲା ।
ସଂଗଠନର ଶବ ସତ୍କାର: ଭୂତିଆର ବାହାଲର ରୀନା ଭୋଇ ନାମକ ଜଣେ ମହିଳା ବଲାଙ୍ଗିରର ଜଣାଶୁଣା ମାହେଶ୍ୱରୀ ସଂଗଠନକୁ ଖବର ଦେଇଥିଲେ।
ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତାମାନେ ଗାଁକୁ ପହଞ୍ଚି ଶବକୁ କାନ୍ଧ ଦେଇ, ନିକଟସ୍ଥ ନଦୀ ପଠାକୁ ନେଇ ସସମ୍ମାନେ ଶବ ସଂସ୍କାର କରିଥିଲେ।
ବାସନ୍ଦ ଭୟ: ଜାତି ସମାଜ କି ଗାଁ ଲୋକେ କେହି ଆଗକୁ ଆସିନଥିଲେ, କାରଣ ସମସ୍ତଙ୍କୁ ଘାରିଥିଲା ବାସନ୍ଦ ଭୟ।
ଏ ଗୋଟିଏ ଘଟଣା ନୁହେଁ, ବଲାଙ୍ଗିର ଜିଲ୍ଲାରେ ବାରମ୍ବାର ଜାତିପ୍ରଥାକୁ ନେଇ ଶବ ବାସନ୍ଦ ହେଉଛି। ସ୍ଵେଚ୍ଛାସେବୀ ସଙ୍ଗଠନମାନେ ଶବ ସଂସ୍କାର କରୁଛନ୍ତି।