ଚାରି ବର୍ଷ ମଧ୍ୟରେ କମ୍ପାନୀର ଲାଭ ଚାରି ଗୁଣ ବୃଦ୍ଧି, କିନ୍ତୁ କର୍ମଚାରୀଙ୍କ ବେତନରେ ସ୍ଥିରତା: ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି ।

ସରକାର ଦେଶର ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜୁଲାଇ-ସେପ୍ଟେମ୍ବରରେ ଏହା ୫.୪ ପ୍ରତିଶତକୁ ଖସି ଆସିଛି । ଏହାର କାରଣ ହେଉଛି କର୍ପୋରେଟ୍ ଲାଭ ମଧ୍ୟରେ ପାର୍ଥକ୍ୟ ଯାହା ଗତ ଚାରି ବର୍ଷ ମଧ୍ୟରେ ଚାରି ଗୁଣ ବୃଦ୍ଧି ପାଇଛି ଏବଂ କର୍ମଚାରୀଙ୍କ ବେତନରେ ସ୍ଥିରତା । ଫିକି ଏବଂ କ୍ବେସ କର୍ପ ଭାରତ ସରକାରଙ୍କ ପାଇଁ ତିଆରି କରିଥିବା ତଥ୍ୟରୁ ଏହି ଆଶ୍ଚର୍ଯ୍ୟଜନକ ପ୍ରକାଶ ସାମ୍ନାକୁ ଆସିଛି।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୯ ରୁ ୨୦୨୩ ପର୍ଯ୍ୟନ୍ତ ଛଅଟି ସେକ୍ଟରରେ ବାର୍ଷିକ ବେତନ ବୃଦ୍ଧି ଇଞ୍ଜିନିୟରିଂ, ଉତ୍ପାଦନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୦.୮ ପ୍ରତିଶତରୁ FMCG କମ୍ପାନୀଗୁଡିକରେ ୫.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱଳ୍ପ କିମ୍ବା ନକାରାତ୍ମକ ଆୟ ଅଭିବୃଦ୍ଧି କାରଣରୁ ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଛି କାରଣ ବେତନ ମୁଦ୍ରାସ୍ଫୀତି ସହିତ ଗତି କରୁନାହିଁ।

ରିପୋର୍ଟରେ କୁହାଯାଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ, ୨୦୧୯ ରୁ ୨୦୨୩ ପର୍ଯ୍ୟନ୍ତ, ଖୁଚୁରା ମୁଦ୍ରାସ୍ଫୀତି ୪.୮ ପ୍ରତିଶତ, ୬.୨ ପ୍ରତିଶତ, ୫.୫ ପ୍ରତିଶତ, ୬.୭ ପ୍ରତିଶତ ଏବଂ ୫.୪ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଶ୍ରମିକମାନଙ୍କ କ୍ରୟ ଶକ୍ତି ହ୍ରାସ କରିଛି ।

ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ କର୍ପୋରେଟ୍ ବୈଠକରେ ଫିକିଏବଂ କ୍ବେସ କର୍ପ ରିପୋର୍ଟ ର ଉଲ୍ଲେଖ କରି ପରାମର୍ଶ ଦେଇଛନ୍ତି ଯେ, ଭାରତକୁ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରିବା ଆବଶ୍ୟକ ରହିଛି । ଯଦି ବେସରକାରୀ କର୍ମଚାରୀଙ୍କ ବେତନରେ କୌଣସି ଉନ୍ନତି ନହୁଏ, ତେବେ କ୍ରୟ କ୍ଷମତା ହ୍ରାସ ହେତୁ ବଜାର ମାନ୍ଦା ହେବ। ଶିଳ୍ପର ଉତ୍ପାଦ କିଣିବା ପାଇଁ ବଜାରରେ କୌଣସି ଚାହିଦା ରହିବ ନାହିଁ । କର୍ପୋରେଟ୍ ପାଇଁ ଏହା ଏକ ଆତ୍ମହତ୍ୟା ପଦକ୍ଷେପ ହେବ । ସରକାରୀ ସୂତ୍ରକୁ ସୂଚାଇ ଏକ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ଦୁର୍ବଳ ଆୟ ସ୍ତର କମ୍ ଖର୍ଚ୍ଚର କାରଣ, ବିଶେଷକରି ସହରାଞ୍ଚଳରେ।