କେବଳ ବେଡରେ ଶୋଇବାର ଚାକିରି, ଯେଉଁଥିପାଇଁ କମ୍ପାନୀ ଦେବ ୨୫ ଲକ୍ଷର ଦରମା!

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କାମ କରି କରି ଥକି ପଡୁଛନ୍ତି, କିନ୍ତୁ ବ୍ରିଟେନର ଏକ କମ୍ପାନୀ କେବଳ ବେଡରେ ଶୋଇବାକୁ ମାସକୁ ମୋଟା ଅଙ୍କର ଦରମା ଦେଉଛି । ଆପଣଙ୍କୁ ଏହା ଶୁଣି ବିଶ୍ୱାସ ନହେଲେ ବି କଥାଟି ସତ । ଆରାମଦାୟକ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଚାକିରିରେ ଯୋଗ ଦେଇ କେବଳ ବେଡରେ ପଡ଼ି ରହିବାକୁ କର୍ମଚାରୀଙ୍କୁ ଦରମା ଦେଉଛି କମ୍ପାନୀ । ଚାକିରିରେ କର୍ମଚାରୀଙ୍କୁ କେବଳ ବେଡରେ ପଡି ଟିଭି ଦେଖିବା ଓ ଶୋଇବାକୁ କୁହାଯାଇଛି । ଏଭଳି ଚାକିରିକୁ ନେଇ ଆପଣଙ୍କ ମନରେ ବି ପ୍ରଶ୍ନ ଉଠୁଥିବ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୁରା ଘଟଣା ।

ରିପୋର୍ଟ ମୁତାବକ, ଏହି ଚାକିରି ଲଗ୍ଜରୀ ବେଡ୍ କମ୍ପାନୀ ‘କ୍ରାଫ୍ଟେଡ ବେଡ୍ସ’ ଦେଉଛି । ଏହି ଚାକିରି କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତିଦିନ ୬ରୁ ୭ ଘଣ୍ଟା ବେଡରେ ରହିବାକୁ ପଡିବ । କ୍ରାଫ୍ଟେଡ ବେଡ୍ସ ପକ୍ଷରୁ ମ୍ୟାଟ୍ରେସ୍ ଟେଷ୍ଟର ନିଯୁକ୍ତ କରାଯାଉଛି, ଯେଉଁମାନଙ୍କର କାମ କେବଳ ବେଡରେ ଶୋଇବା ଓ ରିଭ୍ୟୁ ଦେବା ରହିଛି ।ଏଥିରେ ଜଏନ୍ କରୁଥିବା କର୍ମଚାରୀଙ୍କୁ ବାର୍ଷିକ ୨୪ ଲକ୍ଷ ୭୯ ହଜାର ଟଙ୍କା ଦରମା ଦେଉଛି କମ୍ପାନୀ । ପ୍ରତି ସପ୍ତାହରେ ସେମାନଙ୍କୁ ମ୍ୟାଟ୍ରେସକୁ ଟେଷ୍ଟ କରିବାକୁ ପଡିବ ଓ ବ୍ୟବହାର କରିବାପାଇଁ ଏହି ଗଦି କିପରି, ତାହା କମ୍ପାନୀକୁ କହିବାକୁ ପଡିବ । ଏହା ସହ ଏଥିରେ କିଛି ସୁଧାର, ଦୋଷ ଓ ରିଭ୍ୟୁ ଆଦି ଦେବାକୁ ପଡିବ । ଚାକିରି କରୁଥିବା ପ୍ରତି କର୍ମଚାରୀ ସପ୍ତାହରେ ୩୭.୫ ଘଣ୍ଟା ଅର୍ଥାତ୍ ଦିନରେ ପ୍ରାୟ ୬ ଘଣ୍ଟା ବେଡରେ ଟିମି ଦେଖି ଓ ଶୋଇକରି ବିତାଇବାକୁ ପଡିବ ।

ଏହା ସହ ଚାକିରି କରିବାକୁ ଲୋକମାନଙ୍କୁ କମ୍ପାନୀ ଯିବାକୁ ବି ପଡିବ ନାହିଁ । ସେମାନେ ଟେଷ୍ଟିଂ ଓ ରିଭ୍ୟୁ ଦେବାକୁ ଗଦି ସେମାନଙ୍କ ଘରକୁ ବି ନେଇପାରିବେ । କିନ୍ତୁ ଏହି ଚାକିରି ପାଇଁ ବ୍ରିଟିଶ ନାଗରିକତା ନିହାତି ଦରକାର ।