ପାଗଳ କୁକୁର କାମୁଡ଼ିଲେ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ରାଶି, ସରକାର କଲେ ଆର୍ଥିକ ସହାୟତାର ଘୋଷଣା
ପାଗଳ କୁକୁର କାମୁଡ଼ିଲେ ସରକାର ଦେବେ ଟଙ୍କା, ଜାଣନ୍ତୁ
ନୂଆଦିଲ୍ଲୀ: ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପାଗଳ କୁକୁର କାମୁଡ଼ିବା ବା ଯେକୌଣସି ପଶୁ କମୁଡ଼ିବା ଦ୍ୱାରା ଯଦି ଜଣେ ମଣିଷର ହଠାତ୍ ମୃତ୍ୟୁ ଘଟେ ଏବଂ ଯଦି ସେ ଏହାଦ୍ୱାରା ବିକଳାଙ୍ଗ ହୋଇଯାଏ, ତେବେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଟଙ୍କା ମିଳିବ। ଏନେଇ ସୂଚନା ମଧ୍ୟ ଜାରି କରାଯାଇଛି। ଏହା ମୁତାବକ, ପୀଡ଼ିତା ବା ତାଙ୍କ ପରିବାରକୁ ଏକ ଲକ୍ଷଠାରୁ ୫ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ରାଶି ମିଳିବ।
ସୂଚନା ମୁତାବକ, ସରକାର ୫ ସେପ୍ଟେମ୍ବରରେ ଦୟାଲ ଉପାଧ୍ୟାୟ ଅନ୍ତୋଦୟ ପରିବାର ସୁରକ୍ଷା ଯୋଜନା ନାମକ ଏକ ସ୍କିମକୁ ଆଣିଛନ୍ତି। ଏହା ମୁତାବକ, କୁକୁର କାମୁଡ଼ିବା ବା ଗାଈ, କୁକୁର, ନୀଳଗାଈ ଆଦି ପାଗଳ ପଶୁମାନଙ୍କ ଆକ୍ରମଣରେ ଅଚାନକ ମୃତ୍ୟୁ ଏବଂ ବିକଳାଙ୍ଗ ମାମଲାରେ ରାଜ୍ୟବାସୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ଏହିମାନଙ୍କୁ ମିଳିବ ଲାଭ: ଏକ ଅଫିସିଆଲ ବିବୃତ୍ତିରେ କୁହାଯାଇଛି ଯେ, ଏହି ଯୋଜନା ପରିବାର ପରିଚୟ ପତ୍ର ଅନୁଯାୟୀ ପଞ୍ଜିକୃତ ହୋଇଥିବା ସମସ୍ତ ପରିବାରକୁ କଭର କରିବ, ଯାହାର ବାର୍ଷିକ ପାରିବାରିକ ଆୟ ୧.୮ ଲକ୍ଷ ଟଙ୍କାରୁ କମ୍ ରହିଥିବା ଆବଶ୍ୟକ।
ଏହି ଯୋଜନା ଅନ୍ତର୍ଗତ, ଦୁର୍ଘଟଣା ବଶତଃ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗତା ମାମଲାରେ ପୀଡ଼ିତଙ୍କ ଆୟୁ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ।
କାହାକୁ କେତେ ମିଳିବ ଟଙ୍କା: ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୧ ଲକ୍ଷ ଟଙ୍କା, ୧୨-୧୮ ବର୍ଷ ବୟସ ବର୍ଗ ପାଇଁ ୨ ଲକ୍ଷ ଟଙ୍କା, ୧୮-୨୫ ବର୍ଷ ବୟସ ବର୍ଗ ପାଇଁ ୩ ଲକ୍ଷ ଟଙ୍କା, ୨୫-୪୫ ବର୍ଷ ବୟସ ବର୍ଗ ପାଇଁ ୫ ଲକ୍ଷ ଟଙ୍କା ଏବଂ ୪୫ ବର୍ଷରୁ ଅଧିକ ବୟସ ବର୍ଗ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
୭୦ ପ୍ରତିଶତରୁ କମ୍ ଅକ୍ଷମତା ପାଇଁ, କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩ ର ବ୍ୟବସ୍ଥା ଅନୁଯାୟୀ, ଅକ୍ଷମତାର ପ୍ରତିଶତ ଅନୁସାରେ କ୍ଷତିପୂରଣ ଗଣନା କରାଯିବ, ସର୍ବନିମ୍ନ ୧୦,୦୦୦ ଟଙ୍କା। ସାମାନ୍ୟ ଆଘାତ ପାଇଁ, ୧୦,୦୦୦ ଟଙ୍କା ଦିଆଯିବ।